PAPER-I- Section B-(iv) (a) Introduction of Mordenity
https://youtu.be/w-uv8W1WwtE
ଓଡ଼ିଶାରେ ଆଧୁନିକ ଶିକ୍ଷାର ବିସ୍ତାର ସଙ୍ଗେ ସଙ୍ଗେ ଓଡ଼ିଶାର ଜନଜୀବନରେ ଏକ ନୂତନ ଚେତନା ଜାଗରିତ ହୋଇଥିଲା । ଏହାବ୍ୟତୀତ ପାଶ୍ଚାତ୍ୟ ଜଗତର ଚିନ୍ତାଚେତନା, ବିଭିନ୍ନ ଆନ୍ଦୋଳନ ତଥା ନବୀନ ଜୀବନ ମୂଲ୍ୟବୋଧ ତା’ର ଭାବଜଗତରେ ପରିବର୍ତ୍ତନ ଆଣିଛି । ଛାପାକଳ ପ୍ରତିଷ୍ଠା, ପତ୍ରପତ୍ରିକା ପ୍ରକାଶନ, ଜାତୀୟ ଆନ୍ଦୋଳନ, ଓଡ଼ିଆ ଭାଷା ବିଲୋପପାଇଁ ଚକ୍ରାନ୍ତ ପରି ଅନ୍ୟାନ୍ୟ ବିଭିନ୍ନ ଘଟଣା ଯୋଗୁଁ ଓଡ଼ିଶାରେ ଆଧୁନିକତାର ସୂତ୍ରପାତ ହୋଇଛି । ସାମାଜିକ, ରାଜନୀତିକ ଓ ଆର୍ଥନୀତିକ ଘଟଣାବଳୀ ତା’ର ଚିନ୍ତା – ରାଜ୍ୟରେ ମଧ୍ୟ କେତେକ ପରିବର୍ତ୍ତନ ଆଣିବାକୁ ସମର୍ଥ ହୋଇପାରିଛି । ଏହାର ବିଭିନ୍ନ ପ୍ରଭାବ ପକାଳୀନ ସାହିତ୍ୟ ଓ ସାହିତ୍ୟିକଙ୍କୁ ଗଭୀର ଭାବରେ ପ୍ରଭାବିତ କରିଛି । ତା’ର ସଂସ୍କୃତି ଓ ସମାଜରେ ଆଣିଛି ଉଲ୍ଲେଖନୀୟ ପରିବର୍ତ୍ତନ । ତତ୍କାଳୀନ ସମାଜ ଓ ସଂସ୍କୃତିର ସ୍ଵରୁପ ଜାଣିବାକୁ ହେଲେ ସେସମୟର ବିଭିନ୍ନ ଅବସ୍ଥା ସମ୍ପର୍କରେ ପ୍ରଥମେ ଅବଗତ ହେବା ଆବଶ୍ୟକ ମନେହୁଏ ।
ତତ୍କାଳୀନ ଓଡ଼ିଶା
ଯୁଗେ ଯୁଗେ ଓଡ଼ିଶା ବିଭିନ୍ନ ଶାସକମାନଙ୍କଦ୍ୱାରା ବିଭିନ୍ନ ଭାବରେ ଶାସିତ ହୋଇଆସିଛି । ଏ ଜାତିର ନିରୀହ ଜନସାଧାରଣଙ୍କୁ ସହ୍ୟ କରିବାକୁ ପଡ଼ିଛି ମୋଗଲମାନଙ୍କର ଅତ୍ୟାଚାର, ବର୍ଗୀମାନଙ୍କର ଲୁଣ୍ଠନ । ଏବେବି ଇତିହାସ ମରହଟ୍ଟାମାନଙ୍କର ହତ୍ୟା ଓ ଅମାନୁଷିକ ବର୍ବର ନିପୀଡ଼ନର ସାକ୍ଷ୍ୟପ୍ରଦାନ କରିଥାଏ । ମରହଟ୍ଟାମାନଙ୍କୁ ପରାସ୍ତ କରି ୧୮୦୩ ମସିହାରେ ଇଂରେଜମାନେ ଏ ଦେଶର ଶାସନଭାର ନିଜ ହସ୍ତକୁ ନେଲେ । ତତ୍କାଳୀନ ଓଡ଼ିଶା ସମଗ୍ର ଭାରତବର୍ଷ ତୁଳନାରେ ଯେ ଅତ୍ୟନ୍ତ ଶୋଚନୀୟ ଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି ଏ ଜାତି ମରି ମଧ୍ୟ ମରି ନାହିଁ । ଶତ ନିର୍ଯ୍ୟାତନା ସତ୍ତ୍ୱେ ଏ ଜାତି ନିଜକୁ ପ୍ରତିଷ୍ଠିତ କରି ଶିଖିଛି । ଭାରତର ଅନ୍ୟାନ୍ୟ ପ୍ରାଦେଶିକ ରାଜ୍ୟ ତୁଳନାରେ ପଛରେ ମଧ୍ୟ ପଡ଼ିଯାଇ ନାହିଁ ।
ସାମାଜିକ ପୃଷ୍ଠଭୂମି
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କରନ୍ତି । ତା’ଙ୍କ ପୂର୍ବରୁ ମରହଟ୍ଟାମାନେ ଥିଲେ ଏ ଦେଶର ଭାଗ୍ୟବିଧାତା । ମରହଟ୍ଟାମାନଙ୍କର ଲୁଣ୍ଠନ ଓ ଅତ୍ୟାଚାର ସୀମା ଟପି ଯାଇଥିବାରୁ ଓଡ଼ିଶାବାସୀ ସେମାନଙ୍କୁ ଘୃଣା ଚକ୍ଷୁରେ ଦେଖୁଥିଲେ । ଏହାର ସୁଯୋଗ ନେଇ ହର୍କୋଟ ସାହେବ ପୁରୀର ମହନ୍ତଙ୍କ ନିକଟକୁ ସଂପୂର୍ଣ୍ଣ ନିରାପତ୍ତା ଦେବା ନିମିତ୍ତ ଏକ ତାରବାର୍ତ୍ତା ପ୍ରେରଣ କରିଥିଲେ । ଖୋର୍ଦ୍ଧା ରାଜାଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ସୈନ୍ୟମାନଙ୍କର ପ୍ରଚ୍ଛନ୍ଦ ଯାତାୟତର ସୁବିଧା କରିନେଇଥିଲେ । ପୁରୀ ଦଖଲ ପରେ ଓଡ଼ିଶାର ଜନମାନସରେ ମରହଟ୍ଟା ଶକ୍ତି ଇଂରେଜ ଶକ୍ତି ନିକଟରେ ହୀନବଳ ବୋଲି ପ୍ରମାଣିତ ହୋଇଯାଇଥିଲା । ହରକୋଟ ସାହେବ ମେଜର ଫ୍ଲେଚରଙ୍କୁ ପୁରୀର ସୁରକ୍ଷା ତଥା ମରହଟ୍ଟାମାନଙ୍କର ବିଶୃଙ୍ଖଳ ପରିସ୍ଥିତିକୁ ଆୟତ୍ତ କରିବାର ଦାୟିତ୍ବ ଦେଇ କଟକ ଅଭିମୁଖେ ଅଗ୍ରସର ହୋଇଥିଲେ । କଟକ ଆଡ଼କୁ ଅଗ୍ରସର ହେବା ସମୟରେ ଅହମଦପୁର ଓ ମୁକୁନ୍ଦପୁରଠାରେ ମରହଟ୍ଟାମାନେ ତା’ଙ୍କୁ ପ୍ରତିରୋଧ କରିଥିଲେ । ମାତ୍ର ସେ ପ୍ରତିରୋଧ ନିହାତି ଦୁର୍ବଳ ଥିଲା । ଅକ୍ଟୋବର ୮ ତାରିଖରେ ହର୍କୋଟ ସାହେବ ସହର ମଧ୍ୟକୁ ପ୍ରବେଶ କଲେ । ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବାରବାଟୀ ଦୁର୍ଗ ଅଧିକାର । ସେଠାରେ ଥିବା ମରହଟ୍ଟା ଅଫିସର ଶିବପ୍ରସାଦଙ୍କୁ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଅକ୍ଳେଶରେ ଅକ୍ଟୋବର ୧୪ ତାରିଖରେ ସେ ଓଡ଼ିଶାର ଐତିହାସିକ ଦୁର୍ଗ ଅଧୁକାର କରିନେଲେ ।
ବାରବାଟୀ ଦୁର୍ଗ ଅଧିକାର ପରେ କଟକର ପରିଚାଳନାପାଇଁ ଏକ କମିସନ ଗଠନ କରାଗଲା; ଯେଉଁଥିରେ ହର୍କୋଟି, ଟି.ଏଚ୍.ଅର୍ଣ୍ଣେଷ୍ଟ ( ମେଦିନୀପୁରର ମାଜିଷ୍ଟ୍ରେଟ) ଓ ମେଲ୍ ଭିଲେ ଏକ ଏକ ସଦସ୍ୟ ଥିଲେ । ଏଥିରେ ଖୋର୍ଦ୍ଧା, ମୟୂରଭଞ୍ଜ, ଅନୁଗୁଳ, ହିନ୍ଦୋଳ, ଦଶପଲ୍ଲା, ଆଳି, କୁଜଙ୍ଗ, ହରିଶପୁର, ଦର୍ପଣ, ସୁକିନ୍ଦା, ମଧୁପୁର, ମରିଚପୁର, ବିଷ୍ଣୁପୁର ଓ କନିକା ଇତ୍ୟାଦି ରାଜା ତଥା ଜମିଦାରମାନେ ଯୋଗଦେଇ ବ୍ରିଟିଶ୍ ଶାସକମାନଙ୍କୁ ବାର୍ଷିକ କର ଦେବାକୁ ରାଜି ହୋଇଥିଲେ । ସେପ୍ଟେମ୍ବର ୨୧ ତାରିଖରେ କ୍ୟାପଟେନ୍ ମୋରଗାଁଙ୍କ ନେତୃତ୍ବରେ ଇଂରେଜ ସୈନ୍ୟ ବାଲେଶ୍ଵରଠାରେ ଅବତରଣ କଲେ । ଓଏଲ୍ସେଲୀଙ୍କ ଚତୁରତା ଯୋଗୁଁ ଅତି କମ୍ ପରିଶ୍ରମରେ ସେମାନେ ବାଲେଶ୍ୱର କରାୟତ୍ତ କଲେ । ସେହିପରି ଫୋର୍ବସ୍ଙ୍କ ନେତୃତ୍ବରେ ସେମାନେ ସମ୍ବଲପୁର ମଧ୍ୟ କରାୟତ କରିପାରିଥିଲେ ।
ସଂପୂର୍ଣ୍ଣ ଓଡ଼ିଶା ଦଖଲ ପରେ ୧୮୦୩ ଡିସେମ୍ବର ମାସରେ କମିସନର କାର୍ଯ୍ୟ ନିର୍ବାହକ କଲେକ୍ଟର ଜେମ୍ସ ହଣ୍ଟର (ପୁରୀ)ଙ୍କୁ ଭୁ-ରାଜସ୍ବ ନୀତିପାଇଁ ନିର୍ଦ୍ଦେଶ ଦେଲେ । ଓଡ଼ିଶାରେ ଇଂରେଜମାନେ ନିଜକୁ ପ୍ରତିଷ୍ଠିତ କରିସାରିବା ପରେ ସେମାନଙ୍କର ପ୍ରଥମ ଲକ୍ଷ୍ୟ ରହିଲା ଅଧିକରୁ ଅଧିକ କର ଆଦାୟ । ପୁରୀ ମନ୍ଦିରକୁ ମଧ୍ୟ ସେମାନେ ତାଙ୍କର ଏକ ଆୟର ପନ୍ଥା ଭାବରେ ଗ୍ରହଣ କରିନେଲେ । କାରଣ ସେମାନେ ଜାଣିଥିଲେ, ଜଗନ୍ନାଥଙ୍କ ନିକଟକୁ କେହି କେବେ ଶୂନ୍ୟହସ୍ତରେ ଆସନ୍ତି ନାହିଁ ।
ତେଣୁ ଇଂରେଜମାନଙ୍କ ପକ୍ଷରେ ଜଗନ୍ନାଥ ମନ୍ଦିର ଥିଲା ଏକ ଉତ୍ତମ ଆୟର ପନ୍ଥା | ସେତେବେଳେ ଇଂରେଜମାନଙ୍କର ଭୂ- ରାଜସ୍ଵ ନୀତି ଓଡ଼ିଶାକୁ ଅନ୍ତସାର ଶୂନ୍ୟ କରିଦେଇଥିଲା । ସେଥ୍ୟପାଇଁ ସେମାନେ ଓଡ଼ିଶାରେ ଚିରସ୍ଥାୟୀ ବନ୍ଦୋବସ୍ତ କରିବାକୁ ରାଜି ନ ଥିଲେ । ଚିରସ୍ଥାୟୀ ବନ୍ଦୋବସ୍ତ ହେବା ପୂର୍ବରୁ ସେମାନେ ୧୮୦୪ ମସିହାରୁ ୧୮୩୭ ମଧ୍ୟରେ ଏଗାର ଥର ଅସ୍ଥାୟୀ ବନ୍ଦୋବସ୍ତ କରିଥିବାର ଜଣାଯାଇଥାଏ ।
ଇଂରେଜମାନଙ୍କଦ୍ଵାରା ଏହି ଯେଉଁ ଜମିଜମା ବନ୍ଦୋବସ୍ତର ସୂତ୍ରପାତ ହୋଇଥିଲା, ତା’ର ପ୍ରଥମ ପର୍ଯ୍ୟାୟ ସଂପୂର୍ଣ୍ଣ ବିଫଳତା ମଧ୍ୟ ଦେଇ ଗତି କରିଥିଲା । ଇଂରେଜ କର୍ମଚାରୀମାନଙ୍କର ଦୂରଦୃଷ୍ଟିହୀନତା ଓ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବାର ଅସାମର୍ଥ୍ୟ ଯୋଗୁଁ ଏପରି ହୋଇଥିଲା । ଅଫିସରମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ, ପରସ୍ପର ମଧ୍ୟରେ ମତାନ୍ତର, ସର୍ବୋପରି ଓଡ଼ିଶାର ଭୌଗୋଳିକ ଜ୍ଞାନ ସମ୍ପର୍କରେ ଅନଭିଜ୍ଞତା କାରଣରୁ ଜମିଜମା ବନ୍ଦୋବସ୍ତର ପ୍ରାଥମିକ ପର୍ଯ୍ୟାୟ ବିଫଳତାରେ ପର୍ଯ୍ୟବସିତ ହୋଇଥିଲା । ବାରମ୍ବାର ବନ୍ଦୋବସ୍ତ ଦ୍ଵାରା ପ୍ରତ୍ୟେକ ଥର ଖଜଣା ହାର ବୃଦ୍ଧି ପାଉଥିବାରୁ ଗରିବ ଚାଷୀକୁଳ ବିଶେଷ କ୍ଷତିଗ୍ରସ୍ତ ହେଉଥିଲେ । ଏହାଦ୍ୱାରା ଏକ ନୂତନ ଜମିଦାର ଗୋଷ୍ଠୀ ମୁଣ୍ଡ ଟେକି ଉଠିଥିଲେ । ସନ୍ଧ୍ୟା ଆଇନ୍ ଅନୁଯାୟୀ ଓଡ଼ିଶାର ଜମିଦାରୀ ବଙ୍ଗଳାରେ ନିଲାମ ହେବାରୁ ବଙ୍ଗାଳୀମାନେ ଏହାର ଫାଇଦା ଉଠାଇଥିଲେ । ମରହଟ୍ଟା ସମୟରେ ଯେଉଁ ପାରମ୍ପରିକ ଜମିଦାରୀ ଗୋଷ୍ଠୀର ଅବସାନ ହେବାକୁ ଆରମ୍ଭ କରିଥିଲା, ଇଂରେଜ ଶାସନ କାଳରେ ଜମିଜମା ବନ୍ଦୋବସ୍ତଦ୍ୱାରା ଏହା ଚରମ ସୀମାରେ ଉପନୀତ ହେବାକୁ ଲାଗିଲା । ଏ ଦେଶରେ ଯେଉଁ କେତେଜଣ ଓଡ଼ିଆ ଜମିଦାର ଥିଲେ, ସେମାନେ ହେଲେ ଆଧୁନିକ ଶିକ୍ଷା-ବର୍ଜିତ, ବ୍ୟାପକ ଦୃଷ୍ଟିକୋଣ-ରହିତ ଓ ପରିବର୍ତ୍ତିତ ପରିସ୍ଥିତିରେ ନିଜକୁ ଚଳାଇବାରେ ପୂର୍ଣ୍ଣ ଅସମର୍ଥ । କମ୍ପାନୀ ନିୟମ କାନୁନ୍ରେ ଦକ୍ଷ, ଆଧୁନିକ ଜ୍ଞାନରେ ଅତୀବ ସମର୍ଥ ନୂତନ ଜମିଦାର ଶ୍ରେଣୀ (କଂପାନୀର କର୍ମଚାରୀ ଓ ଅନ୍ୟାନ୍ୟ ଅନୁପସ୍ଥିତ ଅଣଓଡ଼ିଆ) ମଧ୍ୟ ଏ ଦେଶର ସ୍ବାର୍ଥ ସଂରକ୍ଷଣରେ ଆଦୌ ତତ୍ପର ନ ଥିଲେ ।
ଊନବିଂଶ ଶତାବ୍ଦୀରେ ଓଡ଼ିଶାର ଅର୍ଥନୀତି ବିଶେଷ ଭାବରେ ଲବଣ ଉତ୍ପାଦନ ଦ୍ଵାରା ସମୃଦ୍ଧ ହୋଇଥିଲା । ମୋଗଲ ରାଜତ୍ଵ କାଳରେ ଯଦିଓ ଲବଣ ପୋକ୍ତାନି ଏକ ବିଶିଷ୍ଟ ବୃକ୍ତି ଥିଲା, ତଥାପି ସେମାନେ ଏହି ଶିଳ୍ପକୁ ସମୃଦ୍ଧ କରିପାରି ନ ଥିଲେ । କିନ୍ତୁ ଇଂରେଜମାନେ ଓଡ଼ିଶାକୁ ଆସି ଏହାର ସମୃଦ୍ଧି ସଙ୍ଗେ ସଙ୍ଗେ ନିଜର ଏକଚାଟିଆ ବ୍ୟବସାୟ ଆରମ୍ଭ କରିଦେଲେ ।୧୮୦୪ ମସିହାରେ ଇଂରେଜମାନଙ୍କ ଏହି ଏକଚାଟିଆ ଲବଣ ବ୍ୟବସାୟ ଯୋଗୁଁ ଓଡ଼ିଶାର ଜନସାଧାରଣ ସେମାନଙ୍କ ଉପରେ ଭୀଷଣ ଭାବରେ ଅସନ୍ତୁଷ୍ଟ ହୋଇଯାଇଥିଲେ । ବିଚାରାଳୟରେ ମଧ୍ୟ ଉତ୍କୋଚର ପ୍ରାବଲ୍ୟ ଯୋଗୁଁ ସାଧାରଣ ଜନତା ନିରପେକ୍ଷ ବିଚାର ପାଇପାରୁ ନ ଥିଲେ । ଶାସନ ନୀତିର ଚରମ ଅବହେଳା ଯୋଗୁ ଏହି ଜାତିର ଜୀବନ କୃଶ କହୋଇଯାଇଥିଲା ।
ପାଇକ ବିଦ୍ରୋହ ଯୋଗୁଁ ଶାସକମାନ ଦୁର୍ଦ୍ଧଶ ଓଡ଼ିଆମାନଙ୍କ ମନୋବଳ ଭାଙ୍ଗିଦେବାପାଇଁ ଆପ୍ରାଣ ଚେଷ୍ଟା କଲେ, ଯାହାଦ୍ୱାରା ବିଭିନ୍ନ ଭାବରେ ସେମାନେ ଓଡ଼ିଶାବାସୀଙ୍କୁ ହଇରାଣ କରିବାକୁ ଲାଗିଲେ । ତାହାଙ୍କ ସହିତ ଯୋଗ ଦେଇଥଲେ ଶିକ୍ଷିତ ବଙ୍ଗାଳୀମାନେ, ଯେଉଁମାନେ ନିଜର ସ୍ୱାର୍ଥ ସାଧନ ନିମିତ୍ତ ଓଡ଼ିଶାବାସୀଙ୍କୁ ତିଳ ତିଳ ହତ୍ୟା କରିବାକୁ ଦ୍ବିଧାପ୍ରକାଶ କରି ନ ଥିଲେ । ଜମିଜମା ବନ୍ଦୋବସ୍ତ ମଧ୍ୟ ଓଡ଼ିଶାର ଆର୍ଥନୀତିକ ପରିସ୍ଥିତିକୁ ସଂକଟାପନ୍ନ କରିଥିଲା । ଜମି କ୍ରମଶଃ ଅନେକ କ୍ଷୁଦ୍ର ଅଂଶରେ ବିଭକ୍ତ ହୋଇଗଲା । ସହରବାସୀ ଏହାର ଫାଇଦା ଉଠାଇ ଜମିଦାର ହୋଇଗଲେ । ଭେଦଭାବ ନୀତି ଯୋଗୁଁ ଆମର ସାମାଜିକ ସମସ୍ୟା ମଧ୍ୟ ବଢ଼ିଗଲା । ପୂର୍ବରୁ ଗ୍ରାମର ଜମି ଉପରେ ସମସ୍ତଙ୍କର ସମାନ ଅକାର ଥିଲା । କୃଷକ କ୍ଷେତ୍ରରେ କାର୍ଯ୍ୟ କରୁଥିଲା । କୁମାର, ଧୋବା, ବଡ଼େଇ ଆଦି ଗ୍ରାମର ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରୁଥିଲେ । ବୃତ୍ତି ଥିଲା ଜାତି ଅନୁସାରୀ । ଏକ ଜାତିର ବ୍ୟକ୍ତି ଅନ୍ୟ ଜାତିର ବୃଦ୍ଧି କରୁ ନ ଥିଲା । ନଗର ଓ ଗ୍ରାମ ପରସ୍ତରର କାର୍ଯ୍ୟାନୁଯାୟୀ ଭିନ୍ନ ଥିଲେ । ଲର୍ଡ଼ କର୍ଣ୍ଣୱାଲିସ୍ ୧୮୨୦ ମସିହାରେ ଜମିଦାରୀ ପ୍ରଥା ଲାଗୁ କରିବା ଦ୍ଵାରା କ୍ଷେତ ଉପରେ ବ୍ୟକ୍ତିଗତ ମାଲିକାନା ସ୍ୱତଃ ଆରୋପ ଯୋଗୁଁ କ୍ଷେତ କ୍ରମଶଃ ଏକ ବ୍ୟବସାୟରେ ପରିଣତ ହୋଇଗଲା । ପୂର୍ବରୁ କୃଷି ଜାତ ଦ୍ରବ୍ୟ ଗ୍ରାମ ମଧ୍ୟରେ ରହୁଥିଲା, କିନ୍ତୁ ବର୍ତ୍ତମାନ ତାହା ବଜାରକୁ ବିକ୍ରୟ ନିମିତ୍ତ ଆସିଲା । ସରଳ ଗ୍ରାମ୍ୟ ବ୍ୟବସ୍ଥାରେ ପାରସ୍ପରିକ ଝଗଡ଼ା ପଞ୍ଚାୟତ ମାଧ୍ୟମରେ ସମାଧାନ କରାଯାଉଥିଲା । ଇଂରେଜ ଶାସନରେ ପଞ୍ଚାୟତର ସ୍ଥାନ ଗ୍ରହଣ କଲା ବିଚାରାଳୟ । ସରଳ ମଫସଲୀ ଅଧିବାସୀ ବିଚାରପାଇଁ ସହରର କଚେରିକୁ ଆସିଲା । ଇଂରେଜୀ ଶିକ୍ଷିତମାନେ ସେମାନଙ୍କଠାରୁ ଅର୍ଥ ଲାଞ୍ଚ ନେଲେ । ଏହି ପରି ନୂତନ ସାମାଜିକ ବ୍ୟବସ୍ଥାଦ୍ଵାରା ଜନସାଧାରଣ କ୍ରମଶଃ ଜାତିର ଜାତୀୟ ସ୍ରୋତରୁ ବିଚ୍ଛିନ୍ନ ହୋଇଯିବାକୁ ଲାଗିଲେ । ଅବଶ୍ୟ ଇଂରେଜମାନଙ୍କର ଏହାହିଁ ଥିଲା ପ୍ରକୃତ ଉଦ୍ଦେଶ୍ୟ । ସେମାନେ ନିଜର ଫାଇଦାପାଇଁ ଜାତି ଜାତି ମଧ୍ୟରେ ଭେଦଭାବର ପ୍ରାଚୀର ଠିଆ କରାଇଲେ, ସାମାଜିକ ବିଧି -ବ୍ୟବସ୍ଥାର ନବୀକରଣ କଲେ, ଏ ଜାତିକୁ ଇଂରେଜ ଶାସନର ଗୋଡ଼ାଣିଆ କରିବାକୁ ପ୍ରବର୍ତ୍ତାଇଲେ । ଏହି ପରି ଇଂରେଜମାନେ ନୂତନ ଚିନ୍ତା ଓ ଚେତନାର ପ୍ରସାର ମାଧ୍ୟମରେ ଓଡ଼ିଶାର ସାମାଜିକ ବ୍ୟବସ୍ଥାକୁ ପଙ୍ଗୁ କରି ଦେବାକୁ ଲାଗିଲେ ।
ଓଡ଼ିଶାର ଜାତୀୟ ଜୀବନର ପ୍ରଥମ ଧକ୍କା ନ’ଅଙ୍କ ଦୁର୍ଭିକ୍ଷ –
୧୮୬୫-୬୬ ମସିହା ଓଡ଼ିଶାବାସୀଙ୍କ ନିମିତ୍ତ ଥିଲା ଏକ ଦୁର୍ଭାଗ୍ୟର ବର୍ଷ । ରାଜା ଦିବ୍ୟସିଂହ ଦେବଙ୍କ ନ’ଅଙ୍କରେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଦୁର୍ଭିକ୍ଷର ସୂତ୍ରପାତ ହୋଇଥିବାରୁ ଏହା ନ’ ଅଙ୍କ ଦୁର୍ଭିକ୍ଷ ନାମରେ ଖ୍ୟାତ । ଏହି ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାବାସୀଙ୍କ ଆର୍ଥନୀତିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ଇଂରେଜ ରାଜତ୍ବର ଦୀର୍ଘ ଷାଠିଏ ବର୍ଷ ପରେ ମଧ୍ୟ ଓଡ଼ିଶା ଏକ ଅବହେଳିତ ରାଜ୍ୟ ଭାବରେ ପଡ଼ିରହିଥିଲା । ସେପର୍ଯ୍ୟନ୍ତ ଓଡ଼ିଶାରେ କୌଣସି ଚିରସ୍ଥାୟୀ ବନ୍ଦୋବସ୍ତ ହୋଇପାରି ନ ଥିଲା । ଶାସନ ଓ ଶାସିତମାନଙ୍କ ମଧ୍ୟରେ ସିଧାସଳଖ ଯୋଗାଯୋଗ ସ୍ଥାପନର କୌଣସି ସୁବ୍ୟବସ୍ଥା ମଧ୍ୟ ନ ଥିଲା । ତତ୍କାଳୀନ ସରକାର ମୁଷ୍ଟିମେୟ କେତେକ ବଙ୍ଗାଳୀ କର୍ମଚାରୀମାନଙ୍କ ଉପଦେଶାନୁଯାୟୀ ଶାସନ କାର୍ଯ୍ୟ ପରିଚାଳନା କରୁଥିବାରୁ ଜନସାଧାରଣଙ୍କ ସ୍ୱାର୍ଥ ପ୍ରତି ଆଖି ବୁଜି ଦେଇଲେ । କୃଷିର ବିକାଶ ତଥା ରାସ୍ତାଘାଟର ସୁବିଧାପାଇଁ ସେମାନେ ସେତେବେଳେ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନେଇ ନ ଥିଲେ । ଭୌଗୋଳିକ କାରଣରୁ ଓଡ଼ିଶା ଅନ୍ୟାନ୍ୟ ପ୍ରଦେଶଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଥିଲା । ଜଳସେଚନର ସୁବିଧା ନ ଥିବାରୁ ଓଡ଼ିଶାର ଚାଷୀକୁଳ କୃଷି ନିମିତ୍ତ ବର୍ଷା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିଲେ । ବର୍ଷାର ଘୋର ଅଭାବ ଓ ମୌସୁମୀ ବାୟୁର ଗତି ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ଦୁର୍ଭିକ୍ଷର ପଦଧ୍ଵନି ଶୁଣାଗଲା ।
୧୮୬୫-୬୬ ମସିହାରେ ଓଡ଼ିଶାରେ ଗଚ୍ଛିତ ଖାଦ୍ୟଶସ୍ୟର ପରିମାଣ ଖୁବ୍ ସ୍ୱଳ୍ପ ଥିଲା । ଏହାଛଡ଼ା ୧୮୬୪-୬୫ ମସିହାରେ ଅନେକ ଚାଉଳ ବାହାରକୁ ପଠାଯାଇଥିବାରୁ ଖାଦ୍ୟଶସ୍ୟର ଘୋର ଅଭାବ ପରିଲକ୍ଷିତ ହୋଇଥିଲା । ଦୁର୍ଭିକ୍ଷର ଅନ୍ୟତମ କାରଣ ଓଡ଼ିଶାବାସୀଙ୍କ ଦରିଦ୍ରତା । ଓଡ଼ିଶାର ଜମିଦାରମାନେ ଥିଲେ ଗରିବ ଓ ଦୂରଦୃଷ୍ଟିହୀନ । ସେତେବେଳେ ଖଜଣା ମଧ ଆକାଶଛୁଆଁ ଥିଲା । ଏମାନଙ୍କ ମଧ୍ୟରେ କେହି ବାଣିଜ୍ୟିକ ଶ୍ରେଣୀ ନ ଥିବାରୁ ଓ ଯାତାୟାତର ସୁବିଧା ନ ଥିବାରୁ ସମ୍ପଦ ଠୁଳ କରିବା ଏମାନଙ୍କ ପକ୍ଷରେ ଅସମ୍ଭବ ହୋଇଉଠିଥିଲା । ଓଡ଼ିଶା ଅନ୍ୟ ରାଜ୍ୟଠାରୁ ବିଛିନ୍ନ ହୋଇପଡ଼ିଥିବାରୁ ବାହାରୁ ମଧ୍ୟ ଏ ଦେଶର କୌଣସି ବ୍ୟବସାୟୀ ଚାଉଳ ଆଣିପାରି ନ ଥିଲେ । ଏ କ୍ଷେତ୍ରରେ ଜନସାଧାରଣ କେବଳ ସରକାରଙ୍କ ସାହାଯ୍ୟ ଉପରେ ନିର୍ଭର କରୁଥିଲେ କିନ୍ତୁ ଦୁଃଖର ବିଷୟ, ସରକାରୀ ଅଫିସରମାନେ ଓଡ଼ିଶାରେ ଦେଖାଦେଇଥିବା ଦୁର୍ଭିକ୍ଷର ଅବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ତେଣୁ ଯଥା ସମୟରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାରେ ସେମାନେ ଅକ୍ଷମତା ପ୍ରକାଶ କରିଥିବାର ସୂଚନା ମିଳିଥିଲା । ନଭେମ୍ବର ଓ ଡିସେମ୍ବର ମାସରେ ଦୁର୍ଭିକ୍ଷ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିଲା । ଏହି ଦୁଇ ମାସରେ ବହୁଲୋକ ପ୍ରାଣ ବିସର୍ଜନ କରିଥିଲେ । ଫେବୃଆରୀ ମାସରେ କଲେରା ପ୍ରକୋପ ଯୋଗୁଁ ବହୁ ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥିଲେ ।
ଓଡ଼ିଆ ଭାଷା ପ୍ରତି ଅବମାନନା ଓ ଭାଷାସୁରକ୍ଷା ଆନ୍ଦୋଳନ:
ଓଡ଼ିଆ ଭାଷା ବିଲୋପ ନିମିତ୍ତ ୧୮୬୮-୬୯ ମସିହାରେ ବଙ୍ଗାଳୀମାନେ ଏକ ଚକ୍ରାନ୍ତ କରିଥିଲେ । ନିଜ ଭାଷାର ପ୍ରତିଷ୍ଠା ଓ ଓଡ଼ିଆ ଭାଷାର ବିଲୋପପାଇଁ ଉନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଏମାନେ ଯେପରି ଭାବରେ ପଦକ୍ଷେପ ଗ୍ରହଣ କରିଥିଲେ, କେତେଜଣ ଇଂରେଜ ସାହେବଙ୍କର ସହଯୋଗ ମିଳି ନ ଥିଲେ ଓଡ଼ିଶାରେ ବର୍ତ୍ତମାନ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷା ମାଧ୍ୟମରେ ଶିକ୍ଷାଦାନ କରାଯାଉଥାନ୍ତା । ୧୮୬୪ ମସିହାରୁ ବଙ୍ଗାଳୀମାନେ ଓଡ଼ିଶାରେ ଓଡ଼ିଆ ଭାଷା ପରିବର୍ତ୍ତେ ବଙ୍ଗଳା ଭାଷାର ପ୍ରଚଳନ ନିମିତ୍ତ ଖୁବ୍ ଜୋରସୋରରେ ଲାଗିପଡ଼ିଥିଲେ ।
୧୮୬୫ ମସିହାରେ କଟକ ଡିବେଟିଂ ସୋସାଇଟିର ଏକ ସଭାରେ ଭାଷଣ ଦେବାବେଳେ ରାଜେନ୍ଦ୍ରଲାଲ ମିତ୍ର କହିଥିଲେ, “ଯେବେ ଉତ୍କଳରେ ବଙ୍ଗଭାଷା ପ୍ରଚଳିତ ହୁଏ, ତେବେ ବଙ୍ଗଭାଷାର ପୁସ୍ତକମାନ ଏଠାରେ ଚଳିବ । ଆଉ ଏଠାଲୋକେ ଅନାୟାସରେ ଉତ୍ତମ ପୁସ୍ତକ ପାଇପାରିବେ ।’ ୧୮୬୯-୭୦ ସାଲ ବେଳକୁ ବାଲେଶ୍ଵର ହାଇସ୍କୁଲର ବଙ୍ଗୀୟ ପଣ୍ଡିତ କାନ୍ତଚନ୍ଦ୍ର ଭଟ୍ଟାଚାର୍ଯ୍ୟ ‘ଉଡ଼ିଆ ସ୍ଵତନ୍ତ୍ର ଭାଷା ନହେ’ ନାମରେ ଗୋଟିଏ ପୁସ୍ତିକା ପ୍ରକାଶ କରି ଓଡ଼ିଆ ଭାଷାର ଅପପ୍ରଚାର କରିବାକୁ ଲାଗିଲେ । ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ‘ଉତ୍କଳ ଦୀପିକା’ ସମାଲୋଚନାରେ ଲେଖୁଥିଲା । କେବଳ ଓଡ଼ିଶାରେ କାହିଁକି, ଆସାମୀ ଭାଷା ପ୍ରଦେଶରେ ମଧ୍ୟ ବଙ୍ଗାଳୀମାନେ ଆସାମୀ ଭାଷା ବିଲୋପ କରିବାକୁ ସମସ୍ତ ପ୍ରକାର ଚକ୍ରାନ୍ତ କରିସାରିଥିଲେ । କିନ୍ତୁ ସୁଖର ବିଷୟ, ଆମେରିକା ମିସନାରୀମାନଙ୍କ ଉଦ୍ୟମରୁ ଆସାମୀ ଭାଷା କୌଣସି ପ୍ରକାର ରକ୍ଷା ପାଇଯାଇଥିଲା । ଓଡ଼ିଆ ଭାଷା ପ୍ରତି ଆକ୍ରମଣ ଯୋଗୁଁ ଭାଷା ସଚେତନ କେତେଜଣ ଏହାର କଠୋର ବିରୋଧ କରିବାଦ୍ୱାରା ଓଡ଼ିଆ ଭାଷା ନିଜର ସମ୍ମାନ ବଞ୍ଚାଇବାକୁ ସମର୍ଥ ହୋଇପାରିଥିଲା ।
ସଂକ୍ଷେପରେ କହିଲେ, ନ’ ଅଙ୍କ ଦୁର୍ଭିକ୍ଷର କରାଳ ଗ୍ରାସରୁ ସଦ୍ୟ ଉଠିଥିବା କଙ୍କାଳସାର ଓଡ଼ିଆମାନଙ୍କର ଗୌରବମୟ ମାତୃଭାଷାକୁ ଚିରଦିନପାଇଁ ଲୋପ କରିଦେବା ନିମିତ୍ତ ବଙ୍ଗାଳୀମାନଙ୍କର ଏହି ହୀନ ଚକ୍ରାନ୍ତ ଫଳରେ ଓଡ଼ିଆମାନଙ୍କ ମନରେ ଜାତୀୟଚେତନାର ନବତରଙ୍ଗ ଖେଳି ଯାଇଥିଲା । ମାତୃଭାଷାର ମର୍ଯ୍ୟାଦା ଲୁପ୍ତ ହୋଇଗଲେ ଗୋଟିଏ ଜାତିର ପ୍ରାଣସ୍ପନ୍ଦନ ଯେ ଚିରଦିନ ଲାଗି ବନ୍ଦ ହୋଇଯିବ, ତାହା ସେତେବେଳେ ଓଡ଼ିଆମାନେ ମର୍ମେ ମର୍ମେ ଅନୁଭବ କରିପାରିଥିଲେ । ତେଣୁ ମାତୃଭାଷାର ଉନ୍ନତି ଲାଗି କେତେଜଣ ଓଡ଼ିଆ ଓ ଓଡ଼ିଶାରେ ସ୍ଥାୟୀ ଭାବେ ବସବାସ କରୁଥିବା କେତେଜଣ ବଙ୍ଗାଳୀ ଆପ୍ରାଣ ଉଦ୍ୟମ କରିଥିଲେ । ବିଭିନ୍ନ ପତ୍ରପତ୍ରିକା ପ୍ରକାଶନ, ପାଠ୍ୟପୁସ୍ତକ ପ୍ରଣୟନ ଯୋଗୁଁ ଓଡ଼ିଆ ଭାଷା ଓ ସାହିତ୍ୟ ସ୍ବତନ୍ତ୍ର ମର୍ଯ୍ୟାଦା ଲାଭ କଲା ।
ରାଜନୀତିକ ଅବସ୍ଥା-
ବଙ୍ଗ ଅଧିକାରର ଯଥେଷ୍ଟ ପରେ ଓଡ଼ିଶା ଇଂରେଜ ଶାସନାଧୀନ ହୋଇଥିଲା । ଓଡ଼ିଶାର ବାସ୍ତବ ଅବସ୍ଥାର ଅନୁଧ୍ୟାନ ନ କରି ଅର୍ଦ୍ଧଶତାବ୍ଦୀ ଧରି ବଙ୍ଗଦେଶରେ ପ୍ରଚଳିତ ନିୟମକାନୁନକୁ ଓଡ଼ିଶାରେ ଇଂରେଜ ଶାସକମାନ ଅବାଧରେ ପ୍ରୟୋଗ କରିବାକୁ ଲାଗିଲେ । ଇଂରେଜୀ ଶିକ୍ଷାରୁ ବଞ୍ଚିତ ଅନଭିଜ୍ଞ ଓଡ଼ିଆମାନଙ୍କୁ ଇଂରେଜ ଶାସନକଳରେ ସ୍ଥାନ ଦିଆଯାଉ ନ ଥିବାରୁ ଓଡ଼ିଶାର ସ୍ବାର୍ଥବିରୋଧୀ ବଙ୍ଗାଳୀମାନେ ଓଡ଼ିଶାର ରାଜନୀତିକ ଇତିହାସରେ ଗୁରୁତ୍ବପୂର୍ଣ୍ଣ ଅଂଶ ଗ୍ରହଣ କରିଥିଲେ । ତତ୍କାଳୀନ ଓଡ଼ିଶାର ଭୌଗୋଳିକ ପରିସ୍ଥିତିକୁ ଲକ୍ଷ୍ୟ କଲେ ଇଂରେଜମାନଙ୍କର ଆଉ ଏକ ତ୍ରୁଟି ପରିଲକ୍ଷିତ ହୋଇଥାଏ । ସେମାନେ ବିଭିନ୍ନ ସଂଗଠନ ଅଧୀନରେ ଓଡ଼ିଶାର ବିଭିନ୍ନ ରାଜ୍ୟକୁ ଶାସନ କରିବାକୁ ମନସ୍ଥ କରିଥିବାରୁ ଖାଣ୍ଟି ଓଡ଼ିଆଭାଷୀ ରାଜ୍ୟମାନଙ୍କୁ ଅନ୍ୟ ପ୍ରଦେଶ ସହିତ ମିଶ୍ରଣ କରିଦେଇଥିଲେ । ସେଥ୍ୟପାଇଁ ଓଡ଼ିଶାର ଆୟତନ ଯଥେଷ୍ଟ ସଂକୁଚିତ ହୋଇଯାଇଥିଲା । ୧୮୨୭ ପରେ ଓଡ଼ିଶାକୁ ଶାସନ କରିବା ନିମିତ୍ତ ଏକ ନିର୍ଦ୍ଦିଷ୍ଟ ଶାସନଗତ ପଦକ୍ଷେପ ନିଆଯାଇଥିଲା । ସେପର୍ଯ୍ୟନ୍ତ ମଧ୍ୟ ଓଡ଼ିଆଭାଷୀ ଅଞ୍ଚଳ ସମ୍ବଲପୁର, ସୋନପୁର ଓ ପାଟଣା କେନ୍ଦ୍ରୀୟ ପ୍ରଦେଶ ଛତିଶଗଡ଼ ଶାସନାଧୀନ କରି ରଖାଯାଇଥିଲା । ଦୀର୍ଘ ଦିନ ପର୍ଯ୍ୟନ୍ତ ଓଡ଼ିଶାର ଭୂଗୋଳ ଏକ ବିବଦମାନ ପରିସ୍ଥିତି ମଧ୍ୟ ଦେଇ ଗତି କରିଥିଲା ।
ଓଡ଼ିଶାରେ ପରିଚାଳନାଗତ ତ୍ରୁଟି ଦୀର୍ଘ ଦିନ ଧରି ଲାଗି ରହିଥିଲା । ରାଜ୍ୟରେ ଆତଙ୍କରାଜର ପରିସମାପ୍ତି ନିମିତ୍ତ ୧୮୩୯ ମସିହାରେ ଓଡ଼ିଶାର ସୁପରିଚାଳନା ପାଇଁ ଏକ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ତାହା ସ୍ୱୀକୃତି ଲାଭ କରି ନ ପାରିବାରୁ ଆଞ୍ଚଳିକ ରାଜା ବା ଜମିଦାରମାନଙ୍କୁ ସେମାନଙ୍କ ଅଞ୍ଚଳର ଅଧିବାସୀମାନଙ୍କର ନିରାପତ୍ତା ଦାୟିତ୍ବ ଅର୍ପଣ କରାଯାଇଥିଲା । ଏକ ନିର୍ଦ୍ଦିଷ୍ଟ ଯୋଜନାର କାର୍ଯ୍ୟକ୍ରମ ହସ୍ତକୁ ନେଇ ଠିକ୍ ରୂପେ ପରିଚାଳନା କରିବାର ଦକ୍ଷତା ଓଡ଼ିଶା ଅଧିକାର କରିବାର ପ୍ରାଥମିକ ପର୍ଯ୍ୟାୟରେ ସେମାନେ ହରାଇ ବସିଥିବାରୁ ତତ୍କାଳୀନ ଓଡ଼ିଶାର ଶାସନନୀତି ବ୍ୟର୍ଥତାରେ ପର୍ଯ୍ୟବସିତ ହୋଇପଡ଼ିଥିଲା ।
ଇଂରେଜମାନଙ୍କ ତ୍ରୁଟିପୂର୍ଣ୍ଣ ଭୂ-ରାଜସ୍ବ ନୀତି ସେମାନଙ୍କ ରାଜନୀତିକ ବିଫଳତାର ଅନ୍ୟତମ କାରଣ ରୂପେ ନିର୍ଦ୍ଦେଶ କରାଯାଇପାରେ । ପ୍ରଥମେ ସେମାନେ ଓଡ଼ିଶାରେ ଚିରସ୍ଥାୟୀ ବନ୍ଦୋବସ୍ତ କରିବାକୁ ସମ୍ମତ ନ ଥିଲେ । ପୂର୍ବରୁ ରାଜା ବା ମରହଟ୍ଟାମାନେ ଖଜଣା ସ୍ବରୂପ ଉତ୍ପାଦିତ ଶସ୍ୟର ଏକ ଅଂଶ ନେଉଥିଲେ କିନ୍ତୁ ଇଂରେଜମାନେ ଫସଲର ଅଂଶ ନ ନେଇ ରୂପା ଟଙ୍କା ଆକାରରେ ଖଜଣା ଆଦାୟ କଲେ । ଯେଉଁମାନେ ଅଧିକ କର ଦେବାକୁ ପ୍ରତିଶ୍ରୁତି ଦେଲେ, ସେମାନଙ୍କୁ ଜମିଦାରୀ ପଟ୍ଟା ଦିଆଗଲା । ଅଧୁକ କର ପ୍ରାପ୍ତି ନିମିତ୍ତ ଓଡ଼ିଶାର ଜମିଦାରୀ ବାରମ୍ବାର କଲିକତାରେ ନିଲାମ ହେବାକୁ ଲାଗିଲା ।
ଉନବିଂଶ ଶତକର ଶେଷ ପର୍ଯ୍ୟନ୍ତ ରାଜନୀତିକ ଅସ୍ଥିରତା ଓଡ଼ିଶାବାସୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିଲା । ଅନଭିଜ୍ଞ ଅଫିସର ଓ ବଙ୍ଗାଳୀ କର୍ମଚାରୀମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ସାଧନର ଲାଳସା ଓଡ଼ିଶାବାସୀଙ୍କୁ ଅସ୍ଥିର ତଥା ପ୍ରିୟମାଣ କରିଦେଇଥିଲା । ପୁଣି ବିଖଣ୍ଡିତ ଓଡ଼ିଶାର ପୁନର୍ବିନ୍ୟାସ ସେପର୍ଯ୍ୟନ୍ତ ଠିକ ରୂପେ ହୋଇପାରି ନ ଥିବାରୁ ସୀମା ବିବାଦ ନେଇ ଦୀର୍ଘଦିନ ପର୍ଯ୍ୟନ୍ତ ଓଡ଼ିଶା ଏକ ଅନିଶ୍ଚିତ ପଥ ମଧ୍ୟ ଦେଇ ଗତି କରିଥିଲା । ରାଜନୀତିକ କ୍ଷେତ୍ରରେ ଉନ୍ନତ ବଙ୍ଗ, ବିହାର ସହିତ ମିଶିଥିବାରୁ ଓଡ଼ିଶାରେ ସ୍ୱତନ୍ତ୍ରତାର ବିକାଶ ହୋଇ ନ ଥିଲା । ତେଣୁ ୧୮୦୩ରୁ ୧୯୦୩ ଯାଏ ଓଡ଼ିଶାର ବିଶେଷ ଅଗ୍ରଗତି ହୋଇ ନ ଥିଲା, ବରଂ ଇତିହାସ-ପ୍ରସିଦ୍ଧ କଳିଙ୍ଗ ସାମ୍ରାଜ୍ୟ ବା ସ୍ଵାଧୀନ ଗଜପତି ବଂଶର ଦାୟାଦମାନେ ନିଜର ଅସ୍ତିତ୍ବ ପ୍ରତି ମଧ୍ୟ ସନ୍ଦେହ କରୁଥିଲେ । ତେଣୁ ଉନବିଂଶ ଶତାବ୍ଦୀରେ ଓଡ଼ିଶାର ରାଜନୀତି ଓ ଜୀବନପ୍ରଣାଳୀ ମାତ୍ର କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ହସ୍ତରେ ନିବଦ୍ଧ ଥିବାରୁ ଏ ସମୟରେ ଓଡ଼ିଶାର ଏକ ଗୌରବୋଜ୍ଜଳ ଚିତ୍ର ପାଇବା କଷ୍ଟସାଧ୍ୟ । ସେତେବେଳେ ଓଡ଼ିଶାବାସୀ ଜୀବନକୁ ଦେଖିବାର ସୁଯୋଗ ପାଇ ନ ଥିଲେ କିମ୍ବା ନିଜକୁ ବିଶ୍ଳେଷଣ କରିବାର କ୍ଷମତା ତାଙ୍କର ନ ଥିଲା । ଏଣୁ ଊନବିଂଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନ୍ଧାରି ମୁଲକର ଚିତ୍ର ପ୍ରଦାନ କରିଥାଏ ।
ସାଂସ୍କୃତିକ ପୃଷ୍ଠଭୂମି
ଇଂରେଜମାନେ ଓଡ଼ିଶା ଅଧିକାର କରିବା ସମୟରେ ଓଡ଼ିଶାର ଧର୍ମ ଓ ସଂସ୍କୃତି ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ । ଓଡ଼ିଶାର ଧର୍ମ ଏବଂ ସଂସ୍କୃତିର ବିକାଶପାଇଁ ସେମାନେ କୌଣସି ପଦକ୍ଷେପ ନେଇ ନ ଥିଲେ । ମିସନାରୀମାନେ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରଚାର ଓ ପ୍ରସାରପାଇଁ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସମ୍ପର୍କରେ ଅତ୍ୟନ୍ତ ତିକ୍ତ ମନ୍ତବ୍ୟ ପ୍ରଦାନ କରିଛନ୍ତି । ଆଧୁନିକ ଶିକ୍ଷା ମାଧ୍ୟମରେ ଖ୍ରୀଷ୍ଟଧର୍ମକୁ ପ୍ରଚାର କରିବା ଉଦ୍ଦେଶ୍ୟ ନେଇ ସେମାନେ ହିନ୍ଦୁଧର୍ମ ପ୍ରତି ତୀବ୍ର ବ୍ୟଙ୍ଗ କରୁଥିଲେ ।
ମିସନରୀମାନେ ପ୍ରତିମାପୂଜାର ବିରୋଧୀ ଥିବାରୁ ଓଡ଼ିଶାର ଧର୍ମ, ସଂସ୍କୃତି ଓ ଜୀବନଧାରାର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥଙ୍କୁ ଅଶ୍ଳୀଳ, ଅପବିତ୍ର ଓ ଘୃଣ୍ୟ କହି ପୁରୀକୁ ଏକ ପ୍ରତିମାପେଣ୍ଠ ଭାବରେ ଅଭିହିତ କରିବାକୁ କୁଣ୍ଠାପ୍ରକାଶ କରି ନାହାନ୍ତି ।ଜଗନ୍ନାଥଙ୍କ ବିଭିନ୍ନ ଭୋଗ, ମହାପ୍ରସାଦ ତଥା ଦେବନର୍ତ୍ତକୀ ସେମାନଙ୍କ ଚକ୍ଷୁରେ କିମ୍ଭୂତକିମାକାର ରୂପରେ ପ୍ରକାଶଲାଭ କରିଥିଲେ । ତେଣୁ ସେମାନେ ଏହି ଦେବତା ଓ ପୀଠକୁ ସଂପୂର୍ଣ୍ଣ ଧ୍ବଂସ କରିଦେବାକୁ ଚେଷ୍ଟା ମଧ୍ୟ କରିଥିଲେ । ସଟନ୍ ମଧ୍ୟ କୋଣାର୍କ ମନ୍ଦିରର ସୂକ୍ଷ୍ମାତିସୂକ୍ଷ୍ମ ଚାରୁକଳାରେ ବିସ୍ମୟବିମୁଗଧ ହୋଇଯାଇଥିଲେ ହେଁ ଅଚିନ୍ତନୀୟ ପାଶବମୂର୍ତ୍ତି ଓ ଅବର୍ଣ୍ଣନୀୟ ଅଶ୍ଳୀଳ ଚିତ୍ର ଚିତ୍ରଣରେ ଅର୍ଥର ଅସଦୁପଯୋଗିତା ନେଇ ସେ ଅତିଶୟ କ୍ଷୋଭ ପ୍ରକାଶ କରିଥିଲେ । ଶିବ ଲିଙ୍ଗର ଗଠନ ପରିପଟୀ , ଜଗନ୍ନାଥ ମନ୍ଦିରଗାତ୍ରରେ ଅବା କାରୁକାର୍ଯ୍ୟ ପରିପୂର୍ଣ୍ଣ ଚିତ୍ର ଏଇ ମିସନାରୀମାନଙ୍କୁ ଓଡ଼ିଆ ଜାତିର ନୈତିକ ଅଧିପତନର କାରଣ ରୂପେ ଦେଖାଦେଇଥିଲା । କେବଳ ସେତିକି ନୁହେଁ, ଓଡ଼ିଶାର ପ୍ରାଥମିକ ଶିକ୍ଷା ପ୍ରସାରର ଭାର ମିସନାରୀମାନଙ୍କ ହସ୍ତରେ ନ୍ୟସ୍ତ ଭିବାରୁ ସେମାନେ ହିନ୍ଦୁଧର୍ମ ଅପେକ୍ଷା ଖ୍ରୀଷ୍ଟିଆନ ଧର୍ମର ଉତ୍ଥାନ ନିମନ୍ତେ ତତ୍ପର ଥିଲେ । ଜଗନ୍ନାଥଙ୍କ ପ୍ରତି ଥିବା ଘୃଣା ଭାବକୁ ପ୍ରକାଶପାଇଁ ଓଡ଼ିଶାରେ କାଗଜ ନ ଥିବାରୁ ସେମାନେ ପ୍ରଥମ କାଗଜ ଓ ପ୍ରିଣ୍ଟିଂ ପ୍ରେସ୍ ମଧ୍ୟ ଆଣିଲେ ।
ଓଡ଼ିଶାର ପାରମ୍ପରିକ ଆଚାର ବ୍ୟବହାର ଓ ଧର୍ମ-ଦର୍ଶନ ଉପରେ ସେମାନେ ଏହିପରି ଆକ୍ରମଣ କରି ଚାଲିବାର ଉଦ୍ଦେଶ୍ୟ ଥିଲା ଖ୍ରୀଷ୍ଟଧର୍ମର ପ୍ରଚାର । ସେଥିପାଇଁ ଅତି କ୍ରୁର ଭାବରେ ହିନ୍ଦୁ ଧର୍ମକୁ ସେମାନେ ସମାଲୋଚନା କରିବାକୁ ତିଳେ ମାତ୍ର କୁଣ୍ଠାପ୍ରକାଶ କରି ନାହାନ୍ତି । ଏହା ସହିତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସୁଥିବା ଯାତ୍ରୀମାନଙ୍କଠାରୁ ଯାତ୍ରୀକର ଆଦାୟ କରୁଥିଲେ । ମନ୍ଦିର ପରିଚାଳନା ନିମିତ୍ତ ସରକାରଙ୍କ ତରଫରୁ ଯେଉଁ ଆର୍ଥିକ ସାହାଯ୍ୟ ମିଳୁଥିଲା, ତାହାକୁ ସେମାନେ ବନ୍ଦ କରିଦେଇଥିଲେ । ପ୍ରତିମାପୂଜା ସମସ୍ତ ପ୍ରକାର ଭ୍ରଷ୍ଟାଚାରର କାରଣ – ଏହି ମତ ପ୍ରଚାର କରି ମିସନାରୀମାନେ ଓଡ଼ିଆମାନଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କୁ ବିଭିନ୍ନ ଦିଗରୁ ଆକ୍ରମଣ କରିବାକୁ ଲାଗିଲେ । ରକ୍ଷଣଶୀଳ ଓଡ଼ିଆମାନେ ନିଜର ଆରାଧ୍ୟ ଦେବତାଙ୍କ ପ୍ରତି ଏପରି ଆକ୍ରମଣର ତୀବ୍ର ପ୍ରତିବାଦ ଜଣାଇଥିଲେ ଓ ଇଂରେଜମାନଙ୍କର ଏହିପ୍ରକାର ମନୋବୃତ୍ତି ଯୋଗୁଁ ସେମାନେ ମିସନାରୀ ତଥା ଇଂରେଜମାନଙ୍କଠାରୁ ଯଥେଷ୍ଟ ବ୍ୟବଧାନ ରଖି ଚଳିବାକୁ ଶ୍ରେୟସ୍କର ମଣିଥିଲେ । ତେଣୁ ପ୍ରାଥମିକ ସ୍ତରରେ ସେମାନଙ୍କଦ୍ଵାରା ପ୍ରଚାରିତ ଶିକ୍ଷାବ୍ୟବସ୍ଥା ଓ ଧର୍ମମତବାଦକୁ ସେମାନେ ଗ୍ରହଣ କରିପାରି ନ ଥିଲେ ।
ସଂସ୍କୃତିର ପଟ୍ଟ-ପରିବର୍ତ୍ତନ :
ନବୀନ ଜୀବନ ମୂଲ୍ୟବୋଧ ଭାରତର ଉନବିଂଶ ଶତାବ୍ଦୀରେ ଯେଉଁ ନବୀନ ଜୀବନ ମୂଲ୍ୟବୋଧର ସୂତ୍ରପାତ ହୋଇଛି ଏବଂ ତଦ୍ବାରା ସଂସ୍କୃତିରେ ଯେଉଁ ପଟ୍ଟ-ପରିବର୍ତ୍ତନ ସାଧିତ ହୋଇଛି, ତା’ର ପଶ୍ଚାରେ ରହିଛି ପାଶ୍ଚାତ୍ୟ ଜଗତର ବୈଜ୍ଞାନିକ ଆନ୍ଦୋଳନ, ଶିଳ୍ପବିପ୍ଳବ ଓ ସର୍ବୋପରି ଭାରତୀୟ ଚିନ୍ତାନାୟକମାନଙ୍କର ଧାର୍ମିକ ଆନ୍ଦୋଳନ । ସେହିସବୁ ଧର୍ମ- ଆନ୍ଦୋଳନକୁ ନିମ୍ନୋକ୍ତମତେ ଆଲୋଚନା କରାଗଲା
୧. ବ୍ରାହ୍ମସମାଜ ଓ ରାଜା ରାମମୋହନ ରାୟ: ଭାରତୀୟ ନବୋତ୍ଥାନର ଅଗ୍ରଣୀ ନେତା ରାଜା ରାମମୋହନ ରାୟ ୧୮୨୮ ଖ୍ରୀ.ରେ ହିନ୍ଦୁଧର୍ମର ଆଚାରବିଚାର ସହିତ ପାଶ୍ଚାତ୍ୟ ଦର୍ଶନର ସମିଶ୍ରଣ କରି ‘ବ୍ରାହ୍ମ ସମାଜ’ ସ୍ଥାପନ କଲେ । ଉପନିଷଦର ପ୍ରମାଣ ନୁଯାୟୀ ସେ ହିନ୍ଦୁଧର୍ମର ବୈଜ୍ଞାନିକତା ପ୍ରତିପାଦନ କଲେ । ଏହାଦ୍ବାରା ସେ ସମାଜରେ ନବଜାଗରଣ ଆଣିବାକୁ ଚେଷ୍ଟା କରି ସଫଳକାମ ହୋଇପାରିଲେ । ସେ ପାଶ୍ଚାତ୍ୟ ଆଚାର-ବିଚାରର ଅନ୍ଧାନୁସରଣ କରି ତା’ ପାଖରେ ଆତ୍ମସମର୍ପଣ କରି ନ ଲେ କିମ୍ବା ପାଶ୍ଚାତ୍ୟ ଦର୍ଶନକୁ ପ୍ରବଳ ବିରୋଧ ମଧ୍ୟ କରି ନ ଥିଲେ । ଏହି ବ୍ରାହ୍ମସମାଜ ମାଧ୍ୟମରେ ସେ ଭାରତୀୟ ଓ ପାଶ୍ଚାତ୍ୟ ସଂସ୍କୃତିର ଏକ ଅପୂର୍ବ ସମନ୍ବୟ ସ୍ଥାପନ କଲେ । ଉପନିଷଦ ସିଦ୍ଧାନ୍ତାନୁଯାୟୀ ସେ ସମାଜ ସଂସ୍କାର କରିବାକୁ ପ୍ରେରଣା ପାଇଥିଲେ । ସତୀ ପ୍ରଥାର ତୀବ୍ର ବିରୋଧ ସଙ୍ଗେ ସଙ୍ଗେ ତତ୍କାଳୀନ ସମାଜରେ ପ୍ରଚଳିତ ଓ ପ୍ରତିଷ୍ଠିତ କୁସଂସ୍କାର ବିରୋଧରେ ଜନମତ ପ୍ରତିଷ୍ଠା କରିବାକୁ ସେ ସେନାପତିର ଭୂମିକା ନେଇଥିଲେ । ବିଭିନ୍ନ ଭାଷାରେ ତାଙ୍କର ଗଭୀର ପ୍ରବେଶ ଥିବାରୁ ସେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନ ଓ ଇସଲାମ ଧର୍ମର ସମସ୍ତ ଧର୍ମପୁସ୍ତକ ପାଠକରି ତା’ର ସାରତତ୍ତ୍ବ ନିର୍ଣ୍ଣୟ କରିଥିଲେ ଏବଂ ଧର୍ମ ବିଷୟରେ ତାଙ୍କର ଧାରଣା ବ୍ୟାପକ ଥିଲା । ଏହି ସମାଜର ପ୍ରଥମ ଉଦ୍ଦେଶ୍ୟ ଥିଲା ସମାଜ ସଂସ୍କାର ଓ ଜାତୀୟ ଜାଗରଣର ଉଦ୍ରେକ । ଉନବିଂଶ ଶତାବ୍ଦୀରେ ତାଙ୍କର ମତବାଦ ସମାଜରେ ହଇଚଇ ସୃଷ୍ଟି କରିଥିଲେ ମଧ୍ୟ, ସମାଜ ସଂସ୍କାର ଦିଗରେ ସେ ଯେ ଉପଯୁକ୍ତ ପଦକ୍ଷେପ ନେଇଥିଲେ, ଏହା ଅସ୍ୱୀକାର କରାଯାଇ ନ ପାରେ ।
୨. ଆର୍ଯ୍ୟ ସମାଜ ଓ ସ୍ଵାମୀ ଦୟାନନ୍ଦ – ସ୍ୱାମୀ ଦୟାନନ୍ଦ ସରସ୍ବତୀ ବମ୍ବେଠାରେ ୧୮୭୫ ମସିହାରେ ଏହି ସମାଜ ପ୍ରତିଷ୍ଠା କରନ୍ତି । ଆର୍ଯ୍ୟ ସମାଜ ବେଦ ମତ ଉପରେ ପୂର୍ଣ୍ଣ ଆସ୍ଥା ସ୍ଥାପନ କରି ପ୍ରତିଷ୍ଠିତ ହୋଇଥିଲା । ସେ ଭାରତୀୟ ସଂସ୍କୃତିର ବିଶାଳତା ଏବଂ ଶ୍ରେଷ୍ଠତା ଘୋଷଣା କରି ଦେଶରେ ପ୍ରାଚୀନ ଆଦର୍ଶର ସ୍ଥାପନ ଓ ନବଚେତନା ଜାଗ୍ରତ କରିଥିଲେ । ତାଙ୍କର ଦୃଷ୍ଟି ଥିଲା ସୁଦୂରପ୍ରସାରୀ । ସଂସ୍କୃତ ଭାଷାରେ ସ୍ୱାମିଜୀ ସର୍ବପ୍ରଥମେ ଆପଣାର ବିଚାର ବ୍ୟକ୍ତ କରିଥିଲେ ମଧ୍ୟ ଏହି ସମାଜର ବରିଷ୍ଠ ସଦସ୍ୟଙ୍କର ଆଗ୍ରହ ଓ ଅନୁରୋଧ ରକ୍ଷା କରି ହିନ୍ଦୀ ମାଧ୍ୟମରେ ତାଙ୍କର ମତ ଓ ବିଚାର ପ୍ରଚାର କରିଥିଲେ । ଆର୍ଯ୍ୟସମାଜ ଦେଶକୁ ସ୍ଵାଧୀନ କରିବାକୁ ନବଜାଗରଣ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟ ଭାବନା ଓ ରାଷ୍ଟ୍ରପ୍ରେମ ପ୍ରଚାର
କରିଥିଲା । ଲାଲା ଲଜପତରାୟ ଏହି ସମାଜର ପ୍ରେରଣାରେ ଦେଶପାଇଁ ଆତ୍ମୋତ୍ସର୍ଗ କରିଥିଲେ । ଭାରତୀୟ ସମାଜରେ ଅନୁକୂଳ ଶିକ୍ଷାବ୍ୟବସ୍ଥାର ପ୍ରସାର ଓ ସଂସ୍କୃତିର ପୁନରୁଦ୍ଧାରପାଇଁ ଏ ସମାଜ କାର୍ଯ୍ୟ କରିଥିଲା । ଏହି ସମାଜ ତରଫରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରାର୍ଥନା ସଭା ଗଢ଼ିଉଠି ହିନ୍ଦୁ ସମାଜରେ ନବଜାଗରଣର ସନ୍ଦେଶ ପ୍ରଚାର କରିଥିଲା । ‘ସତ୍ୟାର୍ଥ ପ୍ରକାଶ ସ୍ୱାମିଜୀଙ୍କର ଆଚାର ଗ୍ରନ୍ଥ । ଉକ୍ତ ଗ୍ରନ୍ଥରେ ମୂର୍ତ୍ତିପୂଜାର ଖଣ୍ଡନ, ଏକେଶ୍ୱରବାଦର ସ୍ଥାପନା ଓ ଗୁଣକର୍ମାନୁସାରେ ବର୍ଣ୍ଣବ୍ୟବସ୍ଥାଦ୍ବାରା ବନ୍ଧୁତ୍ବ ସ୍ଥାପନ ବେଦର ଆଧାରରୂପେ ଗୃହୀତ ବୋଲି ସ୍ବୀକୃତ ହୋଇଛି । ଏ ସମ୍ପର୍କରେ ଡଃ ଲକ୍ଷ୍ମୀନାରାୟଣ ଗୁପ୍ତ କହନ୍ତି – “ଗ୍ରଛରେ ହିନ୍ଦୁମାନଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ବାଦ, ପଛା ଓ କୁ-ପ୍ରଥାକୁ ବୈଦିକ ମତାନୁଯାୟୀ ନିର୍ମମ ଭାବେ ଖଣ୍ଡନ କରାଯାଇଛି । ଏହାଦ୍ବାରା ଉଦାରଚେତା ବୁଦ୍ଧିମାନ ବ୍ୟକ୍ତି ଆକର୍ଷିତ ହୋଇଛନ୍ତି ଓ ଅନେକ ରୁଷ୍ଟ ହୋଇଛନ୍ତି ମଧ୍ୟ। ଜାତୀୟ ଜାଗରଣ ଓ ନବଚେତନା ସୃଷ୍ଟି କରିବାରେ ଏ ସମାଜ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
୩. ପ୍ରାର୍ଥନା ସମାଜ ଓ ଡଃ ପାଣ୍ଡୁରଙ୍ଗ – ସମାଜକୁ ସୁଧାରିବାପାଇଁ ଡଃ ଆତ୍ମାରାମ ୧୮୩୭ ମସିହାରେ ବମ୍ବେଠାରେ ପ୍ରାର୍ଥନା ସମାଜ ସ୍ଥାପନ କରନ୍ତି । ଏ ସମାଜ ମଧ୍ୟ “ବ୍ରାହ୍ମ ସମାଜ’ ପରି ନିରାକାରବାଦୀ ଓ ଜାତିପ୍ରଥାର ବିରୋଧ କରେ ସତ୍ୟ, କିନ୍ତୁ ମୂର୍ତ୍ତିପୂଜା ଓ ପରମ୍ପରାଗତ ହିନ୍ଦୁ ଆଚାର ଧର୍ମକୁ ସର୍ବଦା ଅସ୍ବୀକାର ବା ବିରୋଧ କରୁ ନ ଥିଲା । ଏହି ସମାଜଦ୍ଵାରା ସ୍ଥାପିତ ‘ଦଳିତୋଦ୍ଧାର ମିସନ ମାଧ୍ୟମରେ ସେମାନେ ଜାତି ଓ ସମାଜରେ ଅନେକ ପରିବର୍ତ୍ତନ ସାଧନ କରିଥିଲେ । ଏହାର ନେତୃତ୍ବ ନେଇଥିଲେ ଗୋବିନ୍ଦ ରାନାଡ଼େ । ଏହି ସମାଜର ଅନୁଗାମୀ ଥିଲେ ସାର୍. ଏନ୍. ଜି. ଚନ୍ଦ୍ରାବନ କର, ରମାବାଇ, ସାର୍ ଆର୍.ଜି. ଭଣ୍ଡାରକର ଇତ୍ୟାଦି । ସମାଜରେ ଜାଗରଣ ତଥା ସମାନତା ନିମିତ୍ତ ଉଚ୍ଚନୀଚ ଭେଦଭାବର ବିଲୋପ ହେବା ଆବଶ୍ୟକ ବୋଲି ଏମାନେ ହୃଦୟଙ୍ଗମ କରିଥିଲେ । ଜୀବନରେ ସାମାଜିକ ମୂଲ୍ୟର ବିକାଶ ଦୃଷ୍ଟିରୁ ଏ ସମାଜର ବିଶେଷ ମହତ୍ତ୍ଵ ସ୍ଵୀକାର କରାଯାଏ । ସମବାୟ ମାଧ୍ୟମରେ ଜାତୀୟ ଜାଗରଣ ସୃଷ୍ଟି ନିମିତ୍ତ ଏମାନଙ୍କର ପ୍ରୟାସ ସ୍ୱାଗତଯୋଗ୍ୟ ।
୪. ରାମକୃଷ୍ଣ ମିସନ ଓ ସ୍ଵାମୀ ବିବେକାନନ୍ଦ – ସ୍ଵାମୀ ବିବେକାନନ୍ଦ ଖ୍ରୀଷ୍ଟିଆନ୍ ମିସରା ପ୍ରଭାବିତ ହୋଇ ୧୮୯୭ ମସିହାରେ ରାମକୃଷ୍ଣ ମିସନ୍ ସ୍ଥାପନ କରିଥିଲେ । ଯେଉଁ ସମୟରେ ସ୍ୱାମୀ ଦୟାନନ୍ଦ ଉତ୍ତର ଭାରତରେ ଆପଣା କାର୍ଯ୍ୟରେ ନିଯୁକ୍ତ ଥିଲେ, ସେହି ସମୟରେ ରାମକୃଷ୍ଣ ପରମହଂସ ବଙ୍ଗଳାରେ ଆପଣାର ସନ୍ଥ ଜୀବନଦ୍ଵାରା ସମାଜରେ ସଜୀବତା ଆଣିବାକୁ ପ୍ରୟାସ କରିଥିଲେ । ସେ ସମସ୍ତ ଧର୍ମ ଏକ ଏବଂ ସର୍ବ ଧର୍ମର ସାରତବ୍ଧ ଏକ ବୋଲି କହୁଥିଲେ । ନିଜ ହୃଦୟରେ ଯେଉଁ ପରମ ସତ୍ୟର ଦର୍ଶନ କରିଥିଲେ, ତାହା ସବୁ ଧର୍ମର ମୂଳ ବୋଲି ସେ ଅନୁଭବ କରିଥିଲେ । ରାମମୋହନ ରାୟ, ଦୟାନନ୍ଦ ସରସ୍ବତୀ ଓ ରାମକୃଷ୍ଣ ପରମହଂସ – ଏହି ତିନି ଜଣଙ୍କର ସାଧନା ଭିନ୍ନ ଥିଲେ ମଧ୍ୟ ଭାରତବର୍ଷର ପୁନରୁଥାନ ଥିଲା ସମସ୍ତଙ୍କର ମୁଖ୍ୟ ଉଦ୍ଦେଶ୍ୟ । ସ୍ଵାମୀ ବିବେକାନନ୍ଦ ଗୁରୁଙ୍କର ଆଦର୍ଶ ବାଣୀକୁ ଦେଶବିଦେଶରେ ପ୍ରଚାର କରି ଗୁରୁଭକ୍ତିର ପ୍ରମାଣ ଦେଇଥିଲେ । ସେ ହିନ୍ଦୁଧର୍ମର ବାସ୍ତବ ସ୍ଵରୂପ ବିଦେଶୀମାନଙ୍କ ସମ୍ମୁଖରେ ଉପସ୍ଥାପିତ କରି ମାତୃଭୂମି ଓ ସ୍ଵଧର୍ମର ମହତ୍ତ୍ବ ପ୍ରତିଷ୍ଠା କରିଥିଲେ । ଦେଶର ଅଧୋଗତି ଲକ୍ଷ୍ୟକରି ସେ ବିବ୍ରତ ହୋଇଥିଲେ ଓ ଚାହୁଁଥିଲେ ଭାରତର ଶିକ୍ଷିତ ବ୍ୟକ୍ତି ବାହାର ଦେଶକୁ ଯାଇ ପାଶ୍ଚାତ୍ୟ ଜ୍ଞାନବିଜ୍ଞାନ ସଂସ୍ପର୍ଶରେ ଆସି ଭାରତର ସମୂହ ଉନ୍ନତିପାଇଁ କାର୍ଯ୍ୟ କରିବା ଉଚିତ । ବିବେକାନନ୍ଦ ପ୍ରାଚୀନତା ଓ ନବୀନତା ମଧ୍ୟରେ ସୁନ୍ଦର ସମୟ ଆଣିପାରିଥିଲେ ଏବଂ ଦେଶବାସୀଙ୍କୁ ଏକ ପତାକା ତଳେ ଏକତା ସୂତ୍ରରେ ଆବଦ୍ଧ କରି ସମୁହ ସାଧନପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ।
୫. ଥିଓସୋଫିକାଲ ସୋସାଇଟି ଓ ଆନିବେଶାନ୍ତ – ଏହି ସୋସାଇଟି ପ୍ରଥମେ ଆମେରିକାରେ ୧୮୫୭ ମସିହାରେ ରୁଷ୍ଠ ମହିଳା ମାଡ଼ାମ କ୍ଳାବସକୀ ଓ କଣ୍ଡେଲ୍ ଆକୋଟେଙ୍କ ଦ୍ବାରା ସ୍ଥାପିତ ହୋଇଥିଲା । ଭାରତରେ ଏହାର ପ୍ରଚାର ଏବଂ ପ୍ରସାର ୧୮୯୩ରେ ଆଇରି ସ୍ ମହିଳା ଆନି ବେ ଶାନ୍ତଙ୍କ ଦ୍ୱାରା ହୋଇଥିଲା । ଶ୍ରୀମତୀ ବେଶାନ୍ତ ଭାରତବାସୀଙ୍କ ସମ୍ମୁଖରେ ଭାରତୀୟ ସଂସ୍କୃତି ଓ ସଭ୍ୟତାର ଆଧୁନିକ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ଦେଶର ଗୌରବାବହ ଅତୀତ ଐତିହ୍ୟ ପ୍ରଚାର କଲେ । ସୁପ୍ତ ଭାରତୀୟଙ୍କ ମନରେ ଜାତୀୟ ଚେତନାର ଜାଗ୍ରତ, ନବ ଚେତନାର ସଞ୍ଚାର ଓ ଆମସମ୍ମାନପାଇଁ ପ୍ରେରଣା ଦେଲେ । ବେଶାନ୍ତ କାଶୀରେ ସେଣ୍ଟ୍ରାଲ ହିନ୍ଦୁ କଲେଜ ସ୍ଥାପନା କରି ହିନ୍ଦୁଧର୍ମ ପ୍ରତି ଥିବା ତାଙ୍କର ଅଗାଧ ସମ୍ମାନ ପ୍ରତିପାଦନ କରିଥିଲେ । ଏହିପରି ଭାବରେ ଊନବିଂଶ ଶତାବ୍ଦୀରେ ଯେଉଁ ନବୀନ ଜୀବନ ମୂଲ୍ୟବୋଧ ଦେଖାଦେଇଥିଲା, ତଦ୍ଭାରା ଭାରତୀୟ ସଂସ୍କୃତିରେ ମଧ୍ୟ ପରିବର୍ତ୍ତନ ଆସିବା ସଙ୍ଗେ ସଙ୍ଗେ ଭାରତୀୟ ସଂସ୍କୃତି ଲାଭ କରିଥିଲା ଏକ ନୂତନ ରୂପ ।