PAPER-I- Section B-(iii) (c)Introduction of Sarala period
ସାରଳା ଦାସଙ୍କ ପରିଚୟ :
ସାରଳା ଦାସ ଓଡ଼ିଆ ସାହିତ୍ୟର ନବଜାଗରଣକର୍ତ୍ତା । ସର୍ବପ୍ରଥମ ଓଡ଼ିଆ କାବ୍ୟ-କୋଣାର୍କ ନିର୍ମାତା । ଓଡ଼ିଆ ସାହିତ୍ୟର ଇତିହାସରେ ସେ ଆଦିକବି , ଓଡ଼ିଶାର ବ୍ୟାସ,ଶୂଦ୍ରମୁନି , ବିପ୍ଳବୀକବି ଭାବରେ ପରିଚିତ ।
ସାରଳା ଦାସଙ୍କ କାଳ ପରିଚୟ:
“କାଳିକାଳ ଧ୍ଵଂସିଣ ଭୋଗେଣ କୋଟି ପୂଜା
ପ୍ରଣମିତେ ଖଟନ୍ତି ଶ୍ରୀକପିଳେଶ୍ୱର ମହାରାଜା
ପ୍ରଣିପତ୍ୟେ ଖଟଇ କପିଳେନ୍ଦ୍ରର ନାମେ ରାଜା
ତେତ୍ତିଶ କୋଟି ଦେବେ ଚରଣେ ଯାର ପୂଜା”
ଏହିରୁ ସ୍ପଷ୍ଟ ହୁଏ, ସାରଳା ଦାସ କପିଳେନ୍ଦ୍ର ଦେବଙ୍କ ସମସାମୟିକ ଥିଲେ । କପିଳେନ୍ଦ୍ର ଦେବ ଥିଲେ ଜନ୍ମତଃ ଜଣେ ଓଡ଼ିଆ କ୍ଷତ୍ରିୟ ପରିବାରର ଲୋକ । ଗଙ୍ଗବଂଶର ଶେଷ ରାଜା ଚତୁର୍ଥ ଭାନୁଦେବ ଥିଲେ ନିଃସନ୍ତାନ, ଦୁର୍ବଳ ଓ ପ୍ରଜା ପୀଡ଼ନକାରୀ । ସମ୍ଭବତଃ ସେ କାଳର ସାଧାରଣ ପ୍ରଜା ଓ ପାରିଷଦଗଣ ତା’ଙ୍କ ରାଜତ୍ଵ ପ୍ରତି ବିତୃଷ୍ଣ ହୋଇପଡ଼ିଥିଲେ ଏବଂ ସମୟକ୍ରମେ ଭାନୁଦେବଙ୍କ ଜନୈକ ମନ୍ତ୍ରୀ ଅଥବା ସେନାପତି କପିଳେଶ୍ଵର ରାଉତରାୟଙ୍କୁ ଓଡ଼ିଶାର ରାଜସିଂହାସନ ଲାଗି ପସନ୍ଦ କରିଥିଲେ । ସେହି କାଳରୁ ଓଡ଼ିଶାର ଶାସନ ଓ ସମାଜର ପାରମ୍ପରିକ ଚଳଣିର ‘ହାତୀ ସୁନା କଳସ ଢାଳିବା’ କଥାଟି କପିଳେନ୍ଦ୍ର ଦେବଙ୍କ ସିଂହାସନ ଆରୋହଣ ଦୃଷ୍ଟାନ୍ତରୁ ଚଳିଆସୁଅଛି । ଓଡ଼ିଶାର କିମ୍ବଦନ୍ତୀ ଓ ଜନଶ୍ରୁତିରେ ସମ୍ରାଟ୍ କପିଳେନ୍ଦ୍ର ଦେବ ଏକ ବିସ୍ମୟ ହେଲେହେଁ, ସାହିତ୍ୟ ଓ ସଂସ୍କୃତିର ଶିଳାନ୍ୟାସରେ ତା’ଙ୍କର ଅବଦାନ ଅତୁଳନୀୟ । କବି ସାରଳା ଦାସ ଥିଲେ କପିଳେନ୍ଦ୍ର ଦେବଙ୍କ ସମକାଳୀନ । କପିଳେନ୍ଦ୍ରଙ୍କ ରାଜତ୍ୱକାଳରେ ଓଡ଼ିଶାର ଶାସନ ସମାଜ ଓ ସଂସ୍କୃତିର ଏକ ବହୁମୁଖୀ ଚିତ୍ର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସାରଳାଙ୍କ ସୃଷ୍ଟି କର୍ମରେ ଅଙ୍କିତ ହୋଇଥିବାର ଲକ୍ଷ୍ୟ କରା ଯାଏ । କପିଳେନ୍ଦ୍ରଙ୍କ ଉତ୍ତରାଧିକାରୀ ପୁରୁଷୋତ୍ତମ ଦେବଙ୍କ ସମୟରେ ସୁଦ୍ଧା କବି ସାରଳା ଦାସ ଜୀବିତ ଥିଲେ ଓ ତା’ଙ୍କ ମହାଭାରତକୁ ସମ୍ପୂର୍ଣ୍ଣ କରିଥିଲେ ବୋଲି ଅନୁମାନ ସୂତ୍ରରେ ପ୍ରମାଣିତ ହୋଇଅଛି ।
ଓଡ଼ିଆଭାଷାର ରାଜକୀୟ ସ୍ଵୀକୃତି:
କପିଳେନ୍ଦ୍ର ଦେବ (ଖ୍ରୀ. ୧୪୩୪-୧୪୬୬) ବ୍ୟକ୍ତିଗତ ଭାବରେ ଥିଲେ ସାହିତ୍ୟ ଓ କଳାର ଜଣେ ପୃଷ୍ଠପୋଷକ । ସାହିତ୍ୟସ୍ରଷ୍ଟା ରୂପେ ତାଙ୍କର ପ୍ରତିଭା ମଧ୍ୟ ଥିଲା ସର୍ବଜନବିଦିତ । ‘ପର୍ଶୁରାମବିଜୟ’ ନାମକ ଏକ ନାଟ୍ୟକୃତି ମାଧ୍ୟମରେ ସେ ନିଜର ସାହିତ୍ୟରସିକତା ଓ ପାଣ୍ଡିତ୍ୟର ପରିଚୟ ଦେଇଛନ୍ତି । ବିଷ୍ଣୁ, ଶିବ ଓ ଜଗନ୍ନାଥଙ୍କର ବନ୍ଦନା ମୂଳକ ମଙ୍ଗଳାଚରଣରୁ ଏହାର ଆରମ୍ଭ ଏବଂ ପର୍ଶୁରାମଙ୍କର କାର୍ତ୍ତବୀର୍ଯ୍ୟାର୍ଜୁନକୁ ବଧ କରିବା ଘଟଣା ଏଥିରେ ବର୍ଣ୍ଣିତ ହୋଇଅଛି । ଏଥିରେ ସବୁଠାରୁ ଅଧିକ ଆକର୍ଷଣ ହୋଇଅଛି ରାଣୀ ଚନ୍ଦ୍ରବଦନାଙ୍କ ମୁଖରେ ଗୋଟିଏ ଓଡ଼ିଆ ସଙ୍ଗୀତ।
“କେଶବ ମୁନିକୁମର ପରଶୁ ଦକ୍ଷିଣକର
ବାମେଣ ଶୋଭେ ଧନୁଶର ନା
କୋପେଣ ବୋଲଇ ବୀର ତା’ ତୁ ଜେ ମୋ ବାଧିଲୁ ତାତ
ଆଜ ତୋର ଛେଦିବଇଁ ମାଥ ନା” – (ପର୍ଶୁରାମ ବିଜୟ)
ସମ୍ରାଟ୍ କପିଳେନ୍ଦ୍ର ଦେବଙ୍କ ପୃଷ୍ଠପୋଷକତା ଫଳରେ ସାହିତ୍ୟରେ ଯେଉଁ ନୂତନ ଅଭ୍ୟୁଦୟର ତୋରଣ ଉଦ୍ଘାଟିତ ହୋଇଥିଲା, ସେଥିରେ ମୁଖ୍ୟ ସ୍ଥାନ ଲାଭ କରିଥିଲା ଓଡ଼ିଆ ଭାଷା ଓ ସାହିତ୍ୟକୁ ସଂସ୍କୃତ ଭାଷା ଓ ସାହିତ୍ୟର ପ୍ରଭାବ ଏବଂ ପ୍ରାଧାନ୍ୟରୁ ମୁକ୍ତକରି ତାହାକୁ ଏକ ସ୍ଵତନ୍ତ୍ର ଭୂମିରେ ପ୍ରତିଷ୍ଠିତ କରିବା । ମହାକବି ସାରଳା ଦାସଙ୍କ ଆବିର୍ଭାବ ଫଳରେ କପିଳେନ୍ଦ୍ର ଦେବଙ୍କ ରାଜତ୍ଵକାଳରେ ଓଡ଼ିଆ ଓ ସାହିତ୍ୟର ନବଜନ୍ମ ଓ ପୌରୁଷପୂର୍ଣ୍ଣ ସାବଲୀଳ ରୂପ ଲାଭ– ଏହି ଜାତୀୟ ଅଭ୍ୟୁଦୟର ଧାରାକୁ ପ୍ରବହମାନତାର ସୌକୁମାର୍ଯ୍ୟ ପ୍ରଦାନ କରିପାରିଥିଲା ।
“ଝଙ୍କଡ ଯାହାକୁ ପୂର୍ବେ ବାରସ୍ଵତୀ ବୋଲି
ଗିରିଜାଙ୍କ ଆଜ୍ଞାରେ ମୁଁ ତହିଁ ଜନମିଲି ।
ନୀଳ ସୁନ୍ଦରଗିରି ଉତ୍ତର ଦିଗ କୋଣେ
ସାରସ୍ୱତ ଭୂମି ଭ୍ରତଖଣ୍ଡ ଐଶାନେ ।
ଚନ୍ଦ୍ରଭାଗା ବୋଲି କରି ନଦୀ ଏକ ଗୋଟି
ବୃଦ୍ଧମାତାଙ୍କ ପାରୁଶେ ମହୋଦଧି ଭେଟି
ସେ ନଦୀ ତୀରରେ ପର୍ଶୁରାମ ଯେ ଘାଟଇ
କନକବତୀ ନାମେ ପାଟଣା ପ୍ରକାଶଇ
ତା ଉତ୍ତରେ ଅନୁଜ ସାରଳା ବୋଲି ଗ୍ରାମେ
ବିଜୟେ ମାହେଶ୍ଵରୀ ସାରଳାଚଣ୍ଡୀ ନାମେ”
କବି ଆବାଲ୍ୟରୁ ଥିଲେ ପିତୃମାତୃହୀନ– ଜନ୍ମତଃ କୃଷିକାରୀ ବା ଶୂଦ୍ର । ତାଙ୍କର ପୈତୃକ ନାମ ଥିଲା ସିଦ୍ଧେଶ୍ଵର ପରିଡ଼ା । କଟକ ଜିଲ୍ଲା ଝଙ୍କଡ଼ ପ୍ରଗଣା ଅନ୍ତର୍ଗତ କନକା ବତୀ ପୁର ବା କନକପୁର ପାଟଣା ଥୁଲା ତାଙ୍କର ଜନ୍ମସ୍ଥାନ । ସେ ବାଲ୍ୟକାଳରେ ପିତୃମାତୃହୀନ ହେବା ଫଳରେ ଅଗ୍ରଜ ପର୍ଶୁରାମଙ୍କ ଆଶ୍ରୟ ଓ ତତ୍ତ୍ଵାବଧାନରେ ଲାଳିତପାଳିତ ହୋଇଥିଲେ । ଜଂଖେରପୁର ପାଟଣା ବା ପରବର୍ତ୍ତୀ କାଳରେ ଝଙ୍କଡ଼ ପ୍ରଗନା ଅନ୍ତର୍ଗତ କନକପୁର ଗ୍ରାମରେ ପ୍ରସିଦ୍ଧ ସାରଳା ପୀଠ ଅବସ୍ଥିତ । କବି ବା ଦେବୀ ସାରଳାଙ୍କ ପ୍ରସାଦରୁ କବିତ୍ଵଶକ୍ତି ଲାଭ କରିଥିଲେ ବୋଲି ଜଣାଯାଏ । ସେଥିଲାଗି ସେ ନିଜକୁ ସାରଳାଙ୍କର ପୁତ୍ର ରୂପେ ପରିଚିତ କରାଇଅଛନ୍ତି । ଇଷ୍ଟଦେବୀ ସାରଳାଙ୍କ ପ୍ରସାଦରୁ ସିଦ୍ଧିଲାଭ କରିବା ପରେ ତାଙ୍କ ନାମ ସାରଳା ଦାସ ହୋଇଥିବାର ଜଣାଯାଏ । ସାରଳା ଦେବୀଙ୍କର ବରପ୍ରାପ୍ତି ଫଳରେ କୃଷିଜୀବୀ ସିଦ୍ଧେଶ୍ଵର ପରିଡ଼ା ମହାକବି ସାରଳା ଦାସ ହେଲେ ବୋଲି ସେ ସମୟରୁ ବହୁ କିମ୍ବଦନ୍ତୀ ଓ ଜନଶୁତି ଓଡ଼ିଶାର ଜନସାଧାରଣଙ୍କ ଭିତରେ ଚଳିଆସୁଅଛି । ଭକ୍ତିଧର୍ମର ପ୍ରଭାବରେ ଏସବୁ ଅଭୁତ ଓ ବିଚିତ୍ର ଜନଶୁତିମାନ ଗଢ଼ିଉଠିଥିଲେ ମଧ୍ୟ ଏଗୁଡ଼ିକ ଉପଜୀବ୍ୟ କେବଳ ଗୋଟିଏ କଥା, ତାହା ହେଉଛି- ସାରଳା ଦାସଙ୍କୁ ସାରଳା ଚଣ୍ଡୀଙ୍କର ବରପୁତ୍ରରୂପେ ପ୍ରତିପାଦନ କରିବା ।
ଶୂଦ୍ରମୁନି ସାରଳାଙ୍କ ପାଣ୍ଡିତ୍ୟ ଓ ପ୍ରତିଭା ତଥା ଆତ୍ମପରିଚୟରେ କୁଣ୍ଠା :
ସାରଳା ଦାସ ନିଜ ଗ୍ରନ୍ଥଗୁଡ଼ିକରେ ସର୍ବତ୍ର ପ୍ରାୟ ଏକା ପରି ନିଜକୁ ମୂର୍ଖ, ଅପଣ୍ଡିତ, ଶାସ୍ତ୍ରବୁଦ୍ଧିହୀନ ଓ କେବଳ ବାଗ୍ଦେବୀ ସାରଳାଙ୍କ ପ୍ରସାଦରୁ, ସାରଳାଙ୍କ ସ୍ଵପ୍ନାଦେଶରେ ନିଜର ବିପୁଳକାୟ କୃତିମାନ ରଚନା କରିଥିବା ବିଷୟ ନାନା ସ୍ଥାନରେ ଉଲ୍ଲେଖ କରିଅଛନ୍ତି ।
ଜନ୍ମେଣ ମୂର୍ଖ ମୁଁ ନ ପଢିଲି ଶାସ୍ତ୍ର ବିଦ୍ୟା – ମଧ୍ୟପର୍ବ
ମୁହିଁ ଯେ ଅରଖିତ ଅଟଇ ଅପଣ୍ଡିତ
ପାଠ ଶାସ୍ତ୍ରେ ମୁଁ ନୁହଁଇ ଉପଗତ- ମଧ୍ୟପର୍ବ
ରାତ୍ରେ ଯାହା କହଇଁ ତାହା ଦିବସେ ଲେଖଇଁ
ଏଣୁ କରି ସଦୟେ ମୋତେ ହୋଇଲେ ମହାମାୟୀ (ବନପର୍ବ)
ମାତ୍ର ଏହା ଯଥାର୍ଥନୁହେଁ ଓ କବିଙ୍କର ଏସବୁ ଦେବଳ ‘ଦୟିନୀ’ ବୋଲି ଜଣାଯାଏ । ତାଙ୍କର ବହୁଶାସ୍ତ୍ରଦର୍ଶିତା ଓ ପାଣ୍ଡିତ୍ୟର ପରିଚୟ ତାଙ୍କ ଗ୍ରନ୍ଥଗୁଡ଼ିରେ ସର୍ବତ୍ର ବିଳସିତ । ସଂସ୍କୃତ ମହାଭାରତ ଓ ଅନ୍ୟ ପୁରାଣଗୁଡ଼ିକ ସମ୍ପର୍କରେ ତାଙ୍କର ‘ଗଭୀର ଅଧ୍ୟୟନ ଓ ଅନୁଶୀଳନ ନଥିଲେ କେବଳ ଦେବୀଙ୍କ ପ୍ରସାଦରୁ ମହାଭାରତ ପରି ଏକ ବିରାଟ ଗ୍ରନ୍ଥ ସେ କଦାପି ରଚନା କରିପାରିନଥାନ୍ତେ । ମୂଳ ସଂସ୍କୃତ ମହା ଭାରତର ଶ୍ଳୋକସଂଖ୍ୟା ମୋଟ ଏକଲକ୍ଷ ଥିଲେହେଁ ସାରଳା ମହାଭାରତର ପଦସଂଖ୍ୟା ଏକଲକ୍ଷ ଚାଳିଶ ହଜାର ବୋଲି ଜଣାଯାଏ । ସଂସ୍କୃତ ମହାଭାରତଠାରୁ ସାରଳା ,ମହାଭାରତର ସ୍ଵକୀୟତା ଓ ମୌଳିକତାର ଏହା ଏକ ପ୍ରଧାନ ସଙ୍କେତ । କବିଙ୍କର ମୌଳିକ କଳ୍ପନାପ୍ରବଣ ପ୍ରଚଣ୍ଡ କବି ମହାଭାରତ ଓ ଅନ୍ୟାନ୍ୟ କୃତିଗୁଡ଼ିକରେ ଯେପରି ପ୍ରକଟିତ ହୋଇଅଛି, ସେହିପରି ପ୍ରକଟିତ ହୋଇଅଛି ସଂସ୍କୃତ – ପ୍ରଭାବିତ ବ୍ରାହ୍ମଣ୍ୟ ସଂସ୍କୃତି ଓ ସାହିତ୍ୟ ବିରୁଦ୍ଧରେ ଏକ ବ୍ୟାପକ ସାଂସ୍କୃତିକ ବିଦ୍ରୋହରେ । ଗୋଟିଏ ବ୍ରାହ୍ମଣ୍ୟଶାସିତ ଓ ସଂସ୍କୃତ-ସଂସ୍କୃତି-ପ୍ରଧାନ ସମାଜରେ ଶୂଦ୍ର ସିଦ୍ଧେଶ୍ବର ପରିଡ଼ା ଆପଣାର ସାଂସ୍କୃତିକ, ଆଧାର୍ମିକ ଓ ସାହିତ୍ୟିକ ପରିଚିତି ଲାଭ କରିବାକୁ ଗଲା ବେଳେ ଯେ ବହୁ ବାଧା ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବେ- ଏହା ନ କହିଲେ ମଧ୍ୟ ସ୍ପଷ୍ଟ ଜଣାପଡ଼ୁଛି । ଏଥିଲାଗି ବୋଧହୁଏ ସଂସ୍କୃତି-ସଚେତନ ଶୂଦ୍ରକବି ସୁପଣ୍ଡିତ ସାରଳା ଦାସ ସାମନ୍ତଶାସିତ ସମାଜର ଦୃଷ୍ଟି ଆକର୍ଷଣ କରିବା ଲାଗି କେବଳ ବହୁବାର ନିଜ ଗ୍ରଛମାନଙ୍କରେ ଆପଣାକୁ ମୂର୍ଖ, ଅପଣ୍ଡିତ ବୋଲି ବାରମ୍ବାର ଉଲ୍ଲେଖ କରିଛନ୍ତି । ପୁଣି ବ୍ରାହ୍ମଣସମାଜର କୋପଦୃଷ୍ଟିରୁ ଆତ୍ମରକ୍ଷା କରିବା ପାଇଁ କେବଳ ସାରଳା ଦେବୀଙ୍କ ପ୍ରସାଦରେ ମହା ଭାରତ ଆଦି ଗ୍ରନ୍ଥ ରଚନା କରିଛନ୍ତି ବୋଲି ବହୁତ ‘ଦୟିନୀ’ କରିଛନ୍ତି ।
“ଅଦୃଷ୍ଟିକି ଦୃଷ୍ଟି ମୁଁହି କରାଇଲି ଆଣି
କୃପା କରିବାରୁ ମା ସରଳା ଠାକୁରାଣୀ
ଏ ପଦ ରଚନେ ମୁଁ ନ କରେ ପ୍ରତିଜ୍ଞା
ଲେଖେ ଦିଅନ୍ତି ମୋତେ ଯାହା ଆଜ୍ଞା
ଜନ୍ମହୁଁ ମୂର୍ଖ ମୁଁ ପଢିନାହିଁ ବିଦ୍ୟା
ନ ଜଣାଇ ଜପ ମନ୍ତ୍ର ନୁହଇ ପ୍ରସିଦ୍ଧ
ସେ ମାତା ପ୍ରସାଦେ ଯାହାମାନେ ମୋର ସ୍ସ୍ଫୁରେ
ଲେଖଇ ଯେ ବସି ନୀଳ କଳ୍ପବଟ ମୂଳେ”
ମାତ୍ର ଦେବୀଙ୍କର ପୂଜକଭାବରେ ଶୂଦ୍ରମାନେହିଁ ଅଧିକାରୀ ଥିଲେ ଏବଂ ଶୂଦ୍ରସମାଜରେ ଏହି ଦେବପୂଜକଗୋଷ୍ଠୀ ‘ମୁନି’ ନାମରେ ପରିଚିତ ଥିଲେ । ବଂଶପରଂପରା କ୍ରମେ ସିଦ୍ଧେଶ୍ଵର ପରିଡ଼ାଙ୍କ ପରିବାର ଓ ନିଜେ କବି ମଧ୍ୟ ସାରଳା ଦେବୀଙ୍କର ପୂଜକ ଥିବାରୁ ନିଜକୁ ଶୂଦ୍ରମୁନି ନାମରେ ଅଭିହିତ କରିଛନ୍ତି ବୋଲି ମନେକରିବାର ଯଥେଷ୍ଟ କାରଣ ରହିଛି ।
ସାରଳାଙ୍କ ଆତ୍ମବିଶ୍ଵାସ:
ସାରଳାଙ୍କ ବରପୁତ୍ର ରୂପେ କବିଙ୍କ ଆତ୍ମବିଶ୍ବାସ ଅଦ୍ଵିତୀୟ ଥିଲା ।
“ମୁନି ଅଂଶରେ ଜନ୍ମିଲେ ବାକ୍ୟପାରେ କହି
ନ ପଢିଣ ଏତେ ବିଦ୍ୟା ସାଧିଲଇଁ ମୁହିଁ
ଝଙ୍କଡ ବାସିନୀ ସିଦ୍ଧ ସାରଳା ଯା ନାମ
ସେହି ମୋତେ ଶିକ୍ଷା ଦେଲେ ଧର୍ମ-ମୋକ୍ଷ-କାମ”
ସାରଳାଙ୍କ ଜାତିସ୍ମରତ୍ଵ
ସମସାମୟିକ ସମାଜରେ ତାଙ୍କର କୃତିସବୁ ସାରଳା ଦେବୀଙ୍କ ପ୍ରସାଦରୁ ରଚିତ ହୋଇଥିଲେ ମଧ, ଅଥବା ରାଜାନୁଗ୍ରହ ଲାଭ କରିଥିଲେ ମଧ୍ୟ, ସମ୍ଭବତଃ ଶ୍ରଦ୍ଧା ଓ ଆଦରର ସହିତ ସମାଜପତିମାନଙ୍କଦ୍ଵାରା ପରିଗୃହିତ ହୋଇପାରିନଥିଲା । କବି ସେଥିଲାଗି ଏକ ଉଦ୍ଭଟ କଳ୍ପନର ଆଶ୍ରୟରେ ଶେଷରେ ନିଜକୁ ଜାତିସ୍ମର ରୂପରେ ଚିତ୍ରଣ କରି ଶିବଙ୍କ ଅଭିଶାପରେ ସେ ମର୍ତ୍ତ୍ୟଲୋକରେ ଜନ୍ମଗ୍ରହଣ କରିଛନ୍ତି ବୋଲି ପ୍ରଚାର କରିବାପାଇଁ ବାଧ୍ୟ ହୋଇଥିଲେ ।
“ପ୍ରଥମ ଜନ୍ମରେ ମୁଁହି ହେଲି କାଳିଦାସ
ଦ୍ଵିତୀୟ ଜନ୍ମରେ ମୁଁହି ମହାକାଳଧ୍ଵଂସ ।
ତୃତୀୟ ଜନ୍ମରେ ମୁଁ ସାର ଶାରଳା ଦାସ କବି
ଆଉ ଜନ୍ମେ ମୁହିଁ ମର୍ତ୍ତ୍ୟମଣ୍ଡଳେ ଜନ୍ମିବି ।
ପ୍ରତିଜନ୍ମେ ମୁହିଁ ପନ୍ଦର ଲକ୍ଷ କଥା ଭାବି
ଚାରିଜନ୍ମେ ଷାଠିଏଲକ୍ଷ କଥା ମୁଁ କହିବି ।
ଉକ୍ତ କଥା କହିସାରି ଏ ମର୍ତ୍ତ୍ୟମଣ୍ଡଳ
ତେବେ ଯାଇଁ ହୋଇବି ମୁଁ ଶିବ ଦ୍ଵାରପାଳ”
ଏହି ପ୍ରକାରେ କବି ସାରଳା ଦାସ ଇହଜନ୍ମରେ ଜାତିସ୍ମର ରୂପରେ ଏକଲକ୍ଷରୁ ଊଦ୍ଧ ଶ୍ଳୋକବିଶିଷ୍ଟ ମହାଭାରତ ଆଦି ଗ୍ରନ୍ଥ ପ୍ରକାଶ କରିଛନ୍ତି ବୋଲି କହି ସମସାମୟିକ ସମାଜରେ ଶ୍ରଦ୍ଧା ଓ ସହାନୁଭୂତି ଆଦି ଆକର୍ଷଣ କରି ଲାଗି କେବଳ ପ୍ରଯତ୍ନ କରିଥିବା ଅନୁମାନ କରାଯାଇପାରେ ।
ସାରଳାଙ୍କ ସୃଜନ:
ପ୍ରଥମେ ଶ୍ରୀରାମାୟଣ ଦ୍ଵିତୀୟେ ଭାରତ
ତୃତୀୟେ ଲିଖନ ମୁଁ କଲି ଶିରୀ ଭାଗବତ । (ଚଣ୍ଡୀପୁରାଣ)
ଚଣ୍ଡୀପୁରାଣ :
ମହାଭାରତ ବ୍ୟତୀତ ସାରଳା ଦାସ ‘ଚଣ୍ଡୀପୁରାଣ’ ଓ ‘ବିଲଙ୍କା ରାମାୟଣ’ ନାମରେ ଆଉ ଦୁଇଖଣ୍ଡି ଗ୍ରନ୍ଥ ରଚନା କରିଥିବା ଜଣାଯାଏ । ସଂସ୍କୃତ ସପ୍ତଶତୀଚଣ୍ଡୀର ଏହା କେବଳ ଓଡ଼ିଆ ରୂପାନ୍ତର ନୁହେଁ । ସଂସ୍କୃତ ଚଣ୍ଡୀପୁରାଣରେ ଦେବୀଙ୍କ ଦ୍ଵାରା ମହିଷାସୁର ନିଧନ ବର୍ଣ୍ଣିତ ହୋଇଅଛି । ସାରଳାଙ୍କ ଚଣ୍ଡୀପୁରାଣରେ ଅନୁରୂପ ବିଷୟବସ୍ତୁ ଗୃହୀତ ହୋଇଥିଲେ ମଧ୍ୟ କବି ସାରଳା ଦାସ ଏଥିରେ ବହୁ ମୌଳିକତା ଫୁଟାଇଛନ୍ତି । ଚଣ୍ଡୀପୁରାଣରେ ମହିଷାସୁରମର୍ଦ୍ଦିନୀ ଦୁର୍ଗା ସାରଳା ଦେବୀ ରୂପରେ ବର୍ଣ୍ଣିତ; ମାତ୍ର ସାରଳାଙ୍କର ଚଣ୍ଡୀ ଏକାଧାରରେ ମହିଷମର୍ଦ୍ଦିନୀ, ଖଡ୍ଗ-ଖର୍ପରଧାରିଣୀ ଦୁର୍ଗା ଓ ବୀଣାବାଦିନୀ ବାଗ୍ଦେବୀ । ଉତ୍କଳୀୟ ସଂସ୍କୃତିରେ ସାରଳା ଦାସଙ୍କର ଏହି ବିଚିତ୍ର ପରିକଳ୍ପନା ଅସାଧାରଣ ହେଲେହେଁ ଏକ ନିର୍ଦ୍ଦିଷ୍ଟ ପରମ୍ପରାର ପ୍ରତିଷ୍ଠାପନରେ ସମର୍ଥ ହୋଇଅଛି । ସମ୍ଭବତଃ ଓଡ଼ିଶା ବ୍ୟତୀତ ଭାରତର ଅନ୍ୟ କୌଣସି ସ୍ଥାନରେ ଅସୁରମର୍ଦ୍ଦିନୀ ଚଣ୍ଡୀଙ୍କର ବାଗ୍ଦେବୀ ସରସ୍ଵତୀ ଭୂମିକା ସ୍ପଷ୍ଟ ନୁହେଁ । ଝଙ୍କଡ଼ର ସାରଳା ଦେବୀ ଅତୀତରେ ଅସୁରମର୍ଦ୍ଦିନୀ, ମହାମାୟାରୂପେ ପୂଜିତା ହୋ ଇଆସୁଥିଲେ ମଧ୍ୟ ସମ୍ଭବତଃ ସାରଳାଙ୍କ ସମୟକୁ ସେ ବାଗ୍ଦେବୀ ସରସ୍ଵତୀ ରୂପରେ ଆରାଧିତ ହେଉଥିଲେ । ସାରଳାଙ୍କ କବି – କଳ୍ପନା ଦେବୀଙ୍କର ଏହି ଉଭୟବିଧ ରୂପକୁ ଏକ ଅପୂର୍ବ କାନ୍ତିମୟ ମଞ୍ଜୁଳତା ଓ ଭୀତିପ୍ରଦ ଭାବୁକତା ପ୍ରଦାନ କରିଅଛି ।
ଚଣ୍ଡୀପୁରାଣରେ ମହିଷାସୁର ଜନ୍ମବୃତ୍ତାନ୍ତ ସାରଳାଙ୍କର ସଂପୂର୍ଣ୍ଣ ମୌଳିକ ପରିକଳ୍ପନା । ଅସୁରରାଜ କପିଳସିଂହର ଯୁବତୀ ସ୍ତ୍ରୀ ଅସୁର ଧର୍ଷଣରେ ଭୟଭୀତ ହୋଇ ଆତ୍ମରକ୍ଷା ସକାଶେ ସିଂହଳ ଦୀପରେ ଆଶ୍ରୟ ନେଇଥିଲା । କିନ୍ତୁ ସେଠାରେ ଯମଦେବତାଙ୍କର ବାହନ ମହିଷ ସହିତ ସଂସର୍ଗ ଫଳରେ ଅସୁରରାଣୀ ନିରକ୍ଷୀର ଗର୍ଭରେ ମହିଷାସୁରର ଜନ୍ମ ବୋଲି ସାରଳା ଦାସ ବର୍ଣ୍ଣନା କରିଅଛନ୍ତି । ଏହି ନବଜାତ ଶିଶୁଟିର ମହିଷର ମୁଣ୍ଡଗୋଟି ଶରୀର ମନୁଷ୍ୟ– ମହିଷାସୁରର ଦେହ ମନୁଷ୍ୟର; ମାତ୍ର ମୁଣ୍ଡ ମହିଷର । ଅସୁରରାଜ କପିଳସିଂହ ନିଜ ଭାର୍ଯ୍ୟାର ସନ୍ଧାନରେ ଅନେକ ଦେଶ ବୁଲି ବୁଲି ଶେଷରେ ସିଂହଳ ଦ୍ବୀପରେ ତା’କୁ ଠାବକଲା । ସେତେବେଳକୁ ଆପଣା ସ୍ତ୍ରୀ ନିରକ୍ଷୀର ଗର୍ଭଜାତ ସନ୍ତାନଟି ସମରନିପୁଣ ବୀରରେ ପରିଣତ ହୋଇସାରିଥିଲା । ତପସ୍ୟାରତ ମହିଷାସୁର ପ୍ରତି ବ୍ରହ୍ମା ପ୍ରୀତ ହୋଇ ତାହାକୁ ବର ଦେଇଥିଲେ ଯେ, ସେ କୌଣସି ପୁରୁଷ ହସ୍ତରେ ନିହତ ହେବନାହିଁ । ମହିଷାସୁର ସହିତ ଯୁଦ୍ଧରେ ଦେବୀ ଯେତେବେଳେ ଅସୁରକୁ ପରାସ୍ତ କରିପାରିଲେନାହିଁ, ସେତେବେଳେ ଏକ ଡାକିନୀର ପରାମର୍ଶରେ ଦେବୀ ବିବସନା ହେଲେ ଓ ବିବସନା ଦେବୀଙ୍କୁ ଦେଖି ଅସୁର ବିମୋହିତ ହୋଇପଡ଼ିଲା । ଅପରାଜେୟ ମହିଷାସୁରର ସେହି ଦୁର୍ବଳ ମୁହୁର୍ତ୍ତରେ ଦେବୀ ଅସୁରକୁ ନିହତ କଲେ । ଦେବୀଙ୍କର ମହିମାକୀର୍ତ୍ତନରେ, ଅସୁରମାନଙ୍କ ବଂଶବୃତ୍ତାନ୍ତ ପ୍ରଦାନରେ ଏବଂ ନାନା ଘଟନାର ଉଲ୍ଲେଖରେ ସାରଳା ଦାସଙ୍କର ମୌଳିକ ବିଷୟ-ପରିକଳ୍ପନା ଚଣ୍ଡୀପୁରାଣରେ ଅନୁଭୂତ ହୋଇଥାଏ ।
ବିଲଙ୍କା ରାମାୟଣ :
ବିଲଙ୍କା ରାମାୟଣ କବିଙ୍କର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ କୃତି । ଏଥିରେ ସୁଦ୍ଧା କବି ଦେବୀ ମହିମା କୀର୍ତ୍ତନ ଲାଗି ଅନ୍ୟ ଏକ ଅବକାଶ ସୃଷ୍ଟି କରିଅଛନ୍ତି । ରାମଚନ୍ଦ୍ରଙ୍କ ହସ୍ତରେ ଲଙ୍କାପତି ରାବଣ ନିହତ ହେବା ପରେ ମଧ୍ୟ ସ୍ଵର୍ଗର ଦେବତାମାନେ ଚିନ୍ତାକୁଳ ହୋଇପଡ଼ିଲେ । ବିଲଙ୍କାର ସହସ୍ରଶିରା ରାବଣର ଉପୀଡ଼ନରେ ସେମାନେ ବ୍ୟତିବ୍ୟସ୍ତ ହୋଇଉଠିଲେ । ବ୍ରହ୍ମାଙ୍କଠାରୁ ବରଲାଭକରି ସହସ୍ରଶିରା ଥିଲା ପ୍ରବଳ ପରାକ୍ରମୀ । ବିଲଙ୍କାରାବଣର ବଳବୀର୍ଯ୍ୟ, ପୌରୁଷର ବର୍ଣ୍ଣନାରେ କବିଙ୍କରି ମୁଖରତା ପାଠକକୁ ଅଭିଭୂତ କରିଥାଏ ।
ଅଯୋଧ୍ୟାକୁ ଫେରିଆସି ରାମଚନ୍ଦ୍ର ଅଭିଷିକ୍ତ ହେଲା ପରେ ସହସ୍ରଶିରା ରାବଣକୁ ମାରିବା ପାଇଁ ଆଉ କେହି ରହିବେନାହିଁ ବୋଲି ମନେକରି ଦେବତାମାନେ ରାମଚନ୍ଦ୍ରଙ୍କର ଅଭିଷେକ ଉତ୍ସବର ପ୍ରାକ୍ କାଳରେ ଖଳ ଓ ଦୁର୍ବଳ ନାମଧାରୀ ଦୁଇଜଣଙ୍କୁ ପଠାଇଲେ । ଖଳ ସୀତାଙ୍କ କଣ୍ଠରେ ଓ ଦୁର୍ବଳ ରାମଙ୍କ କଣ୍ଠରେ ବସିଲେ । ଅଭିଷେକ ଉତ୍ସବର ଆଡ଼ମ୍ବର ମଧ୍ୟରେ ରାମଚନ୍ଦ୍ର କୁଳଗୁରୁ ବଶିଷ୍ଠ ପ୍ରଭୃତିଙ୍କୁ ରାବଣନିଧନର ଘଟଣାବଳୀ ବର୍ଣ୍ଣନା କରି ଗର୍ବ ଅନୁଭବ କରୁଥୁବେଳେ ସୀତା ସେସବୁ ନୀରବରେ ସହ୍ୟ କରିପାରିଲେନାହିଁ । ଖଳର ପ୍ରଭାବରେ ସୀତା ପ୍ରଭାବିତ ହୋଇ ରାମଚନ୍ଦ୍ରଙ୍କୁ ପରିହାସ କରି କହିଲେ–
“ଜାନକୀ ବୋଇଲେ ପ୍ରଭୁ ପ୍ରତିଜ୍ଞା ନକର
ମୁହଁ ନ ମାଇଲେ କା ହୁଁ ମରନ୍ତା ଅସୁର ।
ତୁମ୍ଭେ କିବା କଷ୍ଟ ପାଇଅଛ ରଘୁରାଣ
ଘୋର କଷ୍ଟ ପାଇଲି ମୁଁ ମାଇଲି ରାବଣ ।
ଏମନ୍ତ ପ୍ରତିଜ୍ଞା ଯେବେ ଅଛି ରଘୁସାଇଁ
ବିଲଙ୍କାର ରାବଣକୁ ବଧ କର ଯାଇଁ ।”
ସୀତାଙ୍କର ଏଭଳି ପରିହାସରେ ବିଚଳିତ ହୋଇ ରାମଚନ୍ଦ୍ର ବିଲଙ୍କାରେ ସହସ୍ରଶିରା ରାବଣକୁ ବଧ କରିବା ପାଇଁ ବାହାରିଲେ; ମାତ୍ର ଅନେକ ଯୁଦ୍ଧ ପରେ ମଧ୍ୟ ସେ ସହସ୍ରଶିରା ରାବଣକୁ ମାରିପାରିଲେନାହିଁ । ଶେଷରେ ସୀତା ସିଂହବାହିନୀ ମହାମାୟୀ ଚଣ୍ଡୀଙ୍କୁ ସ୍ମରଣ କଲେ । ଚଣ୍ଡୀ ତାଙ୍କୁ ପୁଷ୍ପଧନୁ ଦେଲେ ଏବଂ ରାମ ଓ ବିଲଙ୍କା -ରାବଣ ମଧ୍ୟରେ ଅବିରାମ ଯୁଦ୍ଧ ଚାଲିଥିଲାବେଳେ ସୀତା ଚଣ୍ଡୀପୁରାଣର ଚଣ୍ଡୀ ପରି ବିବସନା ହୋଇ ବିଲଙ୍କା ରାବଣ ଆଗରେ ଉଭା ହେଲେ । ବିବସନା ଚଣ୍ଡୀରୂପଧାରିଣୀ ସୀତାଙ୍କୁ ଯୁଦ୍ଧଭୂମିରେ ଦେଖି ବିଲଙ୍କା – ରାବଣର ସମଗ୍ର ଅଙ୍ଗ କାମାତୁର ପରେ ଥରହର ହେଲା ଏବଂ ସେହି ଅବସ୍ଥାରେ ରାମଚନ୍ଦ୍ର ତାହାକୁ ନିଧନ କଲେ । ସଂସ୍କୃତି ଅଭୁତ ରାମାୟଣ’ର ପ୍ରଭାବ ‘ବିଲଙ୍କା ରାମାୟଣ’ରେ ରହିଥିଲେ ମଧ୍ୟ ଏଥିରେ ସାରଳାଙ୍କର ମୌଳିକତା ପରିଲକ୍ଷିତ ହୁଏ ।
ମହାଭାରତ :
ସାରଳା ଦାସଙ୍କ କବିତ୍ଵ -ଶକ୍ତି ଓ କଳ୍ପନା -ଚାତୁରୀର ପରିପୂର୍ଣ୍ଣ ବିଳାସ ପରିଲକ୍ଷିତ ହୁଏ ତାଙ୍କର ମହାଭାରତ ପରି କୃତିରେ । ମୂଳ ସଂସ୍କୃତ ମହାଭାରତକୁ ଆଦର୍ଶରୂପେ ଅବଲମ୍ବନ କରି କବି ମହାଭାରତପରି ଏକ ବିରାଟ ଗ୍ରନ୍ଥ ରଚନା କରିଅଛନ୍ତି; ମାତ୍ର ବେଦବ୍ୟାସଙ୍କ ସଂସ୍କୃତ ମହା ଭାରତକୁ ସେ ଅନୁବାଦ କରିନାହାନ୍ତି । ମୂଳ ମହାଭାରତରେ ବର୍ଣ୍ଣିତ ଘଟଣାବଳୀର ଏକ ମୋଟାମୋଟି ଧାରଣା ସାରଳା ଦାସଙ୍କ ମହାଭାରତପାଠରୁ ମିଳୁଥିଲେ ମଧ୍ୟ କବିଙ୍କ ବ୍ୟକ୍ତିତ୍ଵ ଓ ପ୍ରତିଭାର ପରାକାଷ୍ଠା ଦାଣ୍ଡି ମହାଭାରତର ଛତ୍ରେ ଛତ୍ରେ ପ୍ରକଟିତ ହୋଇଅଛି । ଫଳରେ ମହାଭାରତର ସର୍ବଭାରତୀୟତା ସ୍ଥାନରେ ଉତ୍କଳୀୟ ଜନଜୀବନ ଓ ସଂସ୍କୃତିର ବିଶେଷତ୍ଵମାନ ଲିପିବଦ୍ଧ କରିବାଲାଗି ପୁରାଣକବି ସାରଳା ଦାସ ଆପଣାର ସମ୍ପୂର୍ଣ୍ଣ ଜ୍ଞାତସାରରେ ଏକ ବିପୁଳ ଅବକାଶ ପାଇଛନ୍ତି । ଭାରତବର୍ଷରେ କାଳକ୍ରମେ ବିଭିନ୍ନ ଅଞ୍ଚଳରେ ନାନାଧରଣର ଆଞ୍ଚଳିକ ବିଶେଷତ୍ଵମାନ ଗଢ଼ିଉଠିଥିଲା । ତେଣୁ ପ୍ରତ୍ୟେକ ଅଞ୍ଚଳରେ କବି ସର୍ବଭାରତୀୟ ସାହିତ୍ୟକୃତିଗୁଡ଼ିକର ଅନୁସରଣ ମାତ୍ରରେ ଆପଣା ଆପଣାର ଆଞ୍ଚଳିକ ସଂସ୍କାରସବୁକୁ ଲିପିବଦ୍ଧ କରିବାକୁ ଉନ୍ମୁଖ ହୋଇପଡ଼ିଲେ । ସୁପ୍ରାଚୀନ ତାମିଲଭାଷାରେ କମ୍ବନଙ୍କର ରାମାୟଣ ଏହି ଦୃଷ୍ଟିରୁ ଏକ ସଫଳ ଓ ସାର୍ଥକ କୃତି; ମାତ୍ର ସାରଳା ଦାସ ବିରାଟ ଅଧ୍ୟବସାୟ, ଅଖଣ୍ଡ ନିଷ୍ଠା ଓ ବ୍ୟାପକ ପୁରୋଦୃଷ୍ଟି ବଳରେ ମହାଭାରତକୁ ଯେଉଁଭଳି ଉତ୍କଳୀୟ ଛାଞ୍ଚରେ ଢାଳିଦେଇଅଛନ୍ତି, ତାହା ସମଗ୍ର ଭାରତୀୟ ପ୍ରାଦେଶିକ ସାହିତ୍ୟଗୁଡ଼ିକରେ ସୁଦ୍ଧା ବିଶେଷ ଉଲ୍ଲେଖଯୋଗ୍ୟ ମନେହୋ ଇଥାଏ ।
ମୂଳ ସଂସ୍କୃତ ମହାଭାରତର ପର୍ବବିଭାଗକୁ କେବଳ ସଂଖ୍ୟା ଦୃଷ୍ଟିରୁ ଅନୁସରଣ କରିଥିଲେ ମଧ୍ୟ ସଂସ୍କୃତ ମହାଭାରତରେ ପର୍ବଗୁଡ଼ିକର ନାମ ଓ ବିଷୟକ୍ରମ ସୀରଳା ଦାସ ରକ୍ଷା କରିନାହାନ୍ତି । ମୂଳଗ୍ରଛର ସୌପ୍ତିକ ପର୍ବ, ଅନୁଶାସନିକ ପର୍ବ, ମହାପ୍ରସ୍ଥାନିକ ପର୍ବ ସାରଳା ଦାସଙ୍କ ଗ୍ରନ୍ଥରେ ମିଳେନାହିଁ । ମଧ୍ୟପର୍ବ, ଗଦା ପର୍ବ, କଇଁସିକା ପର୍ବ ନାମରେ ତିନୋଟି ନୂତନ ପର୍ବ ସାରଳା ଦାସ ସଂଯୋଜିତ କରିଅଛନ୍ତି । ମୂଳଗ୍ରଛର ବିଷୟକ୍ରମ ସହିତ । ସାରଳା ମହାଭାରତର ବିଷୟ ଉପସ୍ଥାପନକ୍ରମ ସମାନ ନଥିବାରୁ ଉଭୟ ଗ୍ରନ୍ଥରେ ବହୁ ବୈଷମ୍ୟ ପରିଲକ୍ଷିତ ହୁଏ । ଏହି ବୈଷମ୍ୟଗୁଡ଼ିକ ପୁଣି ସମାନ ଧରଣର ନୁହେଁ : ଯେପରିକି
(୧)ଅନୁକ୍ତପ୍ରକ୍ଷେପ- ମୂଳ ମହାଭାରତରେ ବର୍ଣ୍ଣିତ ହୋଇନଥିବା ଅନେକ ବିଷୟ ସାରଳା ଦାସ ନୂତନଭାବରେ ଉପସ୍ଥାପିତ କରିଅଛନ୍ତି; (୨)ଉକ୍ତନିକ୍ଷେପ- ମୂଳ ଗ୍ରନ୍ଥର ଅନେକ ବିଷୟକୁ ସେ ଏକାବେଳକେ ପରିହାର କରିଅଛନ୍ତି;
(୩) ସଂକ୍ଷିପ୍ତୀକରଣ- ମୂଳ ଗ୍ରଛରେ ବିଶଦରୂପେ ବର୍ଣ୍ଣିତ ଥିବା ଅନେକ ପ୍ରସଙ୍ଗକୁ ସାରଳା ଅତି ସଂକ୍ଷେପରେ ବର୍ଣନା କରିଅଛନ୍ତି
(୪)ବିସ୍ତୃତୀକରଣ- ମୂଳ ମହା ଭାରତର କେତେକ ସଂକ୍ଷିପ୍ତ ସ୍ଥଳକୁ ସାରଳା ଦାସ ବିସ୍ତୃତଭାବରେ ଚିତ୍ରଣ କରିଅଛନ୍ତି ।
ଏଥିରୁ ସାରଳାଙ୍କ ମହାଭାରତର ବିଶେଷତ୍ଵ ଓ ଅଭୁତ ଶକ୍ତିର ପରିଚୟ ଯଥାଯଥ ରୂପରେ ମିଳିଥାଏ ।
ମୂଳ ମହାଭାରତରେ ଆଦୌ ବର୍ଣ୍ଣିତ ହୋଇନଥିବା ଅନେକ ବିଷୟବସ୍ତୁ, ଆଖ୍ୟାନ ଓ ଉପାଖ୍ୟାନମାନ ସାରଳା ଦାସ ଆପଣାର କଳ୍ପନା ଶକ୍ତି ବଳରେ ଲିପିବଦ୍ଧ କରିଅଛନ୍ତି ଏବଂ ସେସବୁ ନୂତନ ସୃଷ୍ଟି ଭିତରେ ସାରଳାଙ୍କର ମୌଳିକ କବିକଳ୍ପନା, ସାମାଜିକ ଓ ସାଂସ୍କୃତିକ ଦୃଷ୍ଟିକୋଣ ନିର୍ଦ୍ଧାରିତଭାବରେ ପ୍ରତିଫଳିତ ହେବାର ବିପୁଳ ସୁଯୋଗ ଲାଭକରିଅଛି ।
ସାରଳା ଦାସଙ୍କ ନାମରେ ଭଣତି ଥିବା ଅନ୍ୟ କିଛି କାବ୍ୟ:
ଲକ୍ଷ୍ମୀନାରାୟଣୀ ବଚନିକା
ବିଚିତ୍ର ରାମାୟଣ
ଭାରତ ହରିବଂଶ
ଲକ୍ଷ୍ମୀନାରାୟଣୀ ବଚନିକା
ଏହା ପ୍ରଫେସର ବଂଶୀଧର ମହାନ୍ତିଙ୍କ ଦ୍ୱାରା ସମ୍ୟକ ଭାବରେ ଆଲୋଚିତ । ଗ୍ରନ୍ଥଟି ଲକ୍ଷ୍ମୀନାରାୟଣଙ୍କ କଥୋପକଥନ ଛଳରେ ରଚିତ ହୋଇଛି । ଏହା ସାରଳା ଦାସଙ୍କ ନାମରେ ଭଣତି ହୋଇଛି ।
“ଲକ୍ଷ୍ମୀ ନାରାୟେଣକ ପଦମ୍ ଚରଣେ ସେବା
ଶୂଦ୍ରମୁନି ସାରଳା ଦାସଙ୍କୁ ଗତି ମୁକତି ଦେବା ।”
ଗ୍ରନ୍ଥଟି ମହାଲକ୍ଷ୍ମୀଙ୍କ ସ୍ତୁତିରୂ ଆରମ୍ଭ ହୋଇଛି ।
“ଜୟତୁ ମୋହାଲକ୍ଷ୍ମୀ ମାଗୋ ହରିର ଘରଣୀ
ଜୟତୁ ମହାଲକ୍ଷ୍ମୀ ମାଗୋ ତ୍ରିଭୁବନ ଗୋସାମଣି ।
ଖିର ସୋମୋଦ୍ର ଜାତ ତ୍ରୈଲୋକ ମୋହନି
ତୁମ୍ଭର ଚରଣେ ମାଗୋ କରଇ ଦଇନି ।
ସନ୍ତୋଷ ବଚନ ଦେବି କହିଲେ ପାରୁ ଯାଇଂ
କ୍ଷଣକେ ଥାଉ ଦେବି ଛଣକେ ଯାଉ ପଳାଇଂ
ଚଞ୍ଚଳା ସ୍ଵଭାବ ଦେବି ଛଣ ଛଣେହେଂ ନ ରହୁ
କେବଣ ଠାବରେ ଦେବି ନିଚଳ ହୋଇ ଥାଉଁ ।”
ଏଥିରେ ସାରଳା ଦାସ ନରନାରୀଙ୍କ କରଣୀୟ ବର୍ଣ୍ଣନା କରିଛନ୍ତି, ଯଦ୍ଦ୍ଵାର ମହାଲକ୍ଷ୍ମୀଙ୍କ କୃପାଦୃଷ୍ଟି ପ୍ରାପ୍ତ କରିପାରିବେ ।
“ନର ନାରୀଙ୍କର ଦେବ ଶୁଣୟେ ବଚନ
ତିରୀ ପୁରୁଷଙ୍କର ଦେବ ଶୁଣୟେ ଆଖ୍ୟାନ ।
ଭାତ ଭୁଞ୍ଜୁ ଭୁଞ୍ଜୁ ଯେବଣ ଯନ କୁଣ୍ଡିଆଇ ମଥା
ସତେ ଜନ୍ମଯାୟେ ମୁଂ ତାକୁ ନ କହଇ କଥା ।
ପାଦ ପାଖଳନ୍ତେ ଯାର ଅର୍ଦ୍ଧେକ ତିନ୍ତଇ
ୟେତେ ଅପରାଧ ଦେବ ନ ପାରଇଂ ସହିଂ ।”
“ନର ନାରୀଙ୍କର ଦେବ ଶୁଣୟେ ବଚନ
ତିରୀ ପୁରୁଷଙ୍କର ଦେବ ଶୁଣୟେ ଆଖ୍ୟାନ ।
ଭାତ ଭୁଞ୍ଜୁ ଭୁଞ୍ଜୁ ଯେବଣ ଯନ କୁଣ୍ଡିଆଇ ମଥା
ସତେ ଜନ୍ମଯାୟେ ମୁଂ ତାକୁ ନ କହଇ କଥା ।
ପାଦ ପାଖଳନ୍ତେ ଯାର ଅର୍ଦ୍ଧେକ ତିନ୍ତଇ
ୟେତେ ଅପରାଧ ଦେବ ନ ପାରଇଂ ସହିଂ ।”
ବୁଧବାରେ ଶନିବାରେ ଯେହୁ ବିକଇ ଧାନ
ତାହାକୁ ନିଶ୍ଚୟେ ମୁଂ ଛାଡଇ ଭଗବାନ ।
ସୁବନ୍ୟ ବିକଇଟୀ ଯେ ମୋହୋର ଗୁରୁବାରେ
ଲକ୍ଷେ ଧନ ଥିଲେ ଦୁଃଖ ଦିଅଇ ତାହାରେ ।
ଭାରିଜା ହୋଇଂ ଯେବେ ଗିରସ୍ତକୁ ନ ସେବଇଂ
ତୀରୀ ସଂସାରରେ ସେତ ଲେଖା ଯେ ନୁହଇଂ ।
ଗୀରସ୍ତ ହୋଇ ଯେବେ ଭରିଜାଙ୍କୁ କରଇଂ ସେବା
ସଉଚବନ୍ତ ଥାଉଂ ସେ ଯେ ଅନେକ କଷ୍ଟହୀଂ ପାଇବା
ବିଚିତ୍ର ରାମାୟଣ :
ଏହା ସର୍ବପ୍ରଥମେ ଡୋନକଡ଼ ଗୋପୀନାଥଙ୍କ ଦ୍ୱାରା ଆଲୋଚିତ । ଡିସେମ୍ବର ୧୯୬୯ ଡଗର ସାହିତ୍ୟ ପତ୍ରିକାରେ ସଚ୍ଚିଦାନନ୍ଦ ମିଶ୍ରଙ୍କ ଦ୍ୱାରା ଆଲୋଚିତ ହୋଇଥିଲା । ଏହାର ବିଷୟବସ୍ତୁ ରାମାୟଣର ଉତ୍ତର-ରାମାୟଣସହ ସମାନ ଅଟେ ।
ଭାରତ ହରିବଂଶ:
୨୪.୦୧.୧୯୮୮ ତାରିଖରେ ‘ସମାଜ’ର ସାପ୍ତାହିକ ସାହିତ୍ୟ ଆଲୋଚନା ପୃଷ୍ଠାରେ ଡ ଦୁର୍ଗାପ୍ରସାଦ ପଣ୍ଡାଙ୍କଦ୍ୱାରା ଆଲୋଚିତ ହୋଇଥିଲା ।
“ମୁହିଂ ମୂର୍ଖ ମାନେବ ତୋର ସେବକ ଅଟଇ
ତୋତେ ଆଶ୍ରେ କରି ସାହସ୍ର ଲେଖିଛଇ
ଭାରତ ହରିବଂଶ ଅପୂର୍ବ ବାରାନିଧି
ତାହା ମନ୍ଥିବାକୁ ମୁଁ କରିଅଛି ବୁଧି
କିଞ୍ଚିତେ ଦୟା ମୋତେ କର ମହାମାୟୀ
ଶୂଦ୍ର ମୁନି ସାରୋଳଦାସ ଶରଣ ପଶଇ”
ଏହାର ଭଣତି ସାରଳା ଦାସଙ୍କ ନାମରେ ରହିଛି ଓ ରଚନାଶୈଳୀରେ ମହାଭାରତସହ ସମାନତା ଦେଖିବାକୁ ମିଳେ । ବାଲେଶ୍ବର ଜିଲ୍ଲାର ବିଷ୍ଣୁପୁର ଗ୍ରାମ ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ଘରୁ ଏହାର ପୋଥି ଉଦ୍ଧାର ହୋଇଥିଲା ।
କବି ସାରଳା ଦାସଙ୍କ ସ୍ବଦେଶ ପ୍ରୀତି :-
ସାରଳା ମହାଭାରତ ଏ ଦେଶର ଜାତୀୟ ମହାକାବ୍ୟ।ସାରଳା ଦାସ ନିଜ ଜନ୍ମମାଟି ଓଡ଼ିଶାକୁ, ଏହାର ଅଧିବାସୀ ସରଳ ଓଡ଼ିଆଙ୍କୁ ଓ ଏହାର ପରିବେଶକୁ ଭଲଭାବେ ଚିହ୍ନିଥିଲେ।ସେ ସମୟର ଅବସ୍ଥା ଯାହାଥିଲା, କବି ଓଡ଼ିଶା ବାହାରକୁ ଯିବାର ବିଶ୍ବାସ ହୁଏନି।ଏଣୁ ସାରଳା ମହାଭାରତ ଭଳି ଏକ ବିଶାଳକାୟ ଗ୍ରନ୍ଥ ରଚନା କରିବା ସମୟରେ ନିଜ ଆଖି ଆଗରେ ଦେଖୁଥିବା ଏହି ଓଡ଼ିଶା ଓ ଓଡ଼ିଆ ମାନଙ୍କୁ ହିଁ ଯଥାକ୍ରମେ ନିଜ ଗ୍ରନ୍ଥର ହିଁ ସେ ପ୍ରଧାନ ଲୀଳାଭୂମି ଓ ଚରିତ୍ର ରୂପେ ଗ୍ରହଣ କରି ନେଇଅଛନ୍ତି।ଫଳତଃ ଆଲୋଚ୍ୟ ଗ୍ରନ୍ଥ ଓଡ଼ିଶା ବିଷୟକ ଆଖ୍ୟାନ ଓ ଓଡ଼ିଶାରେ ପ୍ରଚଳିତ କିମ୍ବଦନ୍ତି ପରିପୂର୍ଣ୍ଣ।ମହାଭାରତର ପ୍ରତି ପୃଷ୍ଠାରେ କିଛି ନା କିଛି ସାରଳାକାଳୀନ ଓଡ଼ିଶାର ସାମାଜିକ ଚିତ୍ର, ସଂସ୍କୃତି, ଧର୍ମଧାରା, ଗ୍ରାମ୍ୟ ଚରିତ୍ର, ଐତିହାସିକ ଚିତ୍ର କିମ୍ବା ଭୌଗୋଳିକ ଚିତ୍ର ଦେଖିବାକୁ ମିଳେ।ଯାହା ସାରଳାଙ୍କ ଉତ୍କଳୀୟତାର ଯଥାର୍ଥ ପରିଚୟ ପ୍ରଦାନ କରେ।ସୁତରାଂ ଓଡ଼ିଆତ୍ୱ ପରିପୂର୍ଣ୍ଣ ଏହି ଗ୍ରନ୍ଥ ଏକ ସ୍ଵତନ୍ତ୍ର ମହାଭାରତ ରୂପେ ସମାଲୋଚକମାନଙ୍କ ଦ୍ଵାରା ଗୃହୀତ ହୋଇଥାଏ।
ସାରଳା ଯେତେବେଳେ ଲେଖନୀ ଧରିଛନ୍ତି,ସେତେବେଳେ ଓଡ଼ିଆ ଭାଷାର ଶୈଶବାବସ୍ଥା।ସଂସ୍କୃତ ସାହିତ୍ୟର ଅଖଣ୍ଡ ରାଜତ୍ଵ, ସମ୍ମୁଖରେ ଆଦର୍ଶର ଅଭାବ, ପ୍ରାନ୍ତୀୟ ଭାଷାରେ ଗ୍ରନ୍ଥ ଲେଖିବା ଏକ ଆପରାଧମୂଳକ କାର୍ଯ୍ୟଭାବେ ବିବେଚିତ ଏବଂ ପ୍ରାନ୍ତୀୟ ସାହିତ୍ୟରେ ଲେଖନୀ ଚଳାଇ ସଂସ୍କୃତ ସାହିତ୍ୟର ମୁକାବିଲା କରିବାକୁ ସାହାସର ସହିତ ଆଗେଇ ଆସିବା ନିମନ୍ତେ ପ୍ରତିଭାର ଅଭାବ – ଏହିପରି ଏକ ସନ୍ଧି କ୍ଷଣରେ ସ୍ୱମାତୃଭାଷାର ଗୌରବ ପ୍ରତିଷ୍ଠା ନିମନ୍ତେ କଥିତ ଭାଷାରେ ବିଶାଳକାୟ ମହାଭାରତ ଗ୍ରନ୍ଥର ରଚନା ସାରଳାଙ୍କ ଅପୂର୍ବ ଜାତୀୟତାର ଏକ ଜ୍ୱଳନ୍ତ ସ୍ୱାକ୍ଷର ବହନ କରେ।
ନିଜ ଦେଶମାଟି ଓଡ଼ିଆ ପ୍ରତି କବିଙ୍କ ମମତା ଖୁବ୍ ନିବିଡ଼।ଏଣୁ ଓଡ଼ିଶାକୁ ଦେଶବାସୀଙ୍କ ସମକ୍ଷରେ ଭାରତର ଅନ୍ୟାନ୍ୟ ପୌରାଣିକ ରାଜ୍ୟ ଭଳି ପୂତ ଓ ପବିତ୍ର କରି ଠିଆ କରାଇବା ନିମନ୍ତେ ସେ ସୌରାଷ୍ଟ୍ରର ଶ୍ରୀକୃଷ୍ଣଙ୍କୁ ଆଣି ସଂଯୁକ୍ତ କରିଅଛନ୍ତି ପୁରୀର ଜଗନ୍ନାଥଙ୍କ ସହିତ।ମହାଭାରତର ବିଭିନ୍ନ ସ୍ଥଳରେ ନୀଳାଚଳ ବିହାରୀ ଜଗନ୍ନାଥଙ୍କ ପ୍ରସଙ୍ଗ ଦେଖିବାକୁ ମିଳେ।ଗ୍ରନ୍ଥ ରଚନା ସମୟରେ କବି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ସ୍ମୃତିରେ ଜାଗ୍ରତ ରଖିବାକୁ କଦାପି ଭୁଲି ନାହାଁନ୍ତି।କାରଣ ଯେଉଁଠି ଯେଉଁ ଦେବତାଙ୍କର ସ୍ତବ ଆରମ୍ଭ କରିଛନ୍ତି, ସେଠାରେ ସେ ଏହି ଆରାଧ୍ୟ ଦେବତାଙ୍କ ଅବସ୍ଥାନର କ୍ରମ ଶ୍ରୀଜଗନ୍ନାଥ ମନ୍ଦିରାନ୍ତର୍ଗତ ଅବସ୍ଥାନ ଅନୁସାରେ ନିର୍ଦ୍ଧାରଣ କରିଛନ୍ତି।ଉଦାହରଣ ସ୍ୱରୂପ ବିରାଟ ପର୍ବ ଆରମ୍ଭରେ
ଗଣେଶଙ୍କୁ ସ୍ତୁତି କରି କବି ତାଙ୍କର ଦକ୍ଷିଣ ଦିଗାବସ୍ଥିତିକୁ ପ୍ରକାଶ କରିଛନ୍ତି, ଯାହା ଜଗନ୍ନାଥ ମନ୍ଦିରରେ ଥିବା ଗଣେଶଙ୍କ ଅବସ୍ଥିତି ସହ ସମତା ରକ୍ଷା କରେ। ଉଦଯୋଗ ପର୍ବରେ ସୁଦେଷ୍ଣା ପରବର୍ତ୍ତୀ କାଳରେ ଇନ୍ଦ୍ରଦ୍ୟୁମ୍ନରାଜାଙ୍କ ମହିଷୀ ଗୁଣ୍ଡିଚା ରୂପେ ଜନ୍ମଗ୍ରହଣ କରିବା ପ୍ରସଙ୍ଗରେ କବି ଜଗନ୍ନାଥଙ୍କ ପୃଥିବୀ ବିଖ୍ୟାତ ଗୁଣ୍ଡିଚା ଯାତ୍ରାର ବର୍ଣ୍ଣନା ଦେଇଛନ୍ତି।ଦାରୁମୂର୍ତ୍ତି ପ୍ରତିଷ୍ଠା ହେବାଠାରୁ ରଥଯାତ୍ରା ପର୍ଯ୍ୟନ୍ତ ଜଗନ୍ନାଥଙ୍କ ସମ୍ବନ୍ଧୀୟ ବିଭିନ୍ନ ଉପାଖ୍ୟାନ ଓ ଇତିହାସରେ ଓଡ଼ିଆ ମହାଭାରତ ସମୃଦ୍ଧିବନ୍ତ ଏବଂ ଜାତିୟତାରେ ଉଦ୍ଦୀପିତ ହୋଇଉଠିଅଛି।
ବନବାସ ସମୟରେ ପାଣ୍ଡବମାନଙ୍କୁ ତୀର୍ଥଯାତ୍ରୀ କରି ସାରଳା ଦାସ ବୁଲାଇଛନ୍ତି ଓଡ଼ିଶାର ବିଶିଷ୍ଟ ତୀର୍ଥ ମାନଙ୍କରେ। ଅଜ୍ଞାତ ବନବାସ ସମୟରେ ପାଣ୍ଡବମାନେ ବୁଲି ବୁଲି ପହଞ୍ଚିଛନ୍ତି ଏକାମ୍ରତୀର୍ଥରେ। ବିନ୍ଦୁସାଗର ତୀର୍ଥରେ ସ୍ନାନ କରିବା ପରେ ମାର୍କଣ୍ଡେୟ ଯୁଧିଷ୍ଠିରଙ୍କୁ ଏକାମ୍ର ତୀର୍ଥର ମାହାତ୍ମ୍ୟ ବୁଝାଇଛନ୍ତି।ଏହି ପ୍ରସଙ୍ଗରେ ସେ ଯମେଶ୍ୱର, ସୂକ୍ଷ୍ମେଶ୍ୱର, କେଦାରେଶ୍ୱର, ମୁକ୍ତେଶ୍ଵର, ହିରଣ୍ୟେଶ୍ୱର, ରୁଦ୍ରେଶ୍ୱର, ଭୈରବେଶ୍ୱର ଓ ଇନ୍ଦ୍ରେଶ୍ୱର ପ୍ରଭୃତି ଅଷ୍ଟଶମ୍ଭୁ ବର୍ଣ୍ଣନା ଦେଇଛନ୍ତି ଏବଂ ପରେ କୃତିବାସ ଦୈତ୍ୟଙ୍କ କଥା ମଧ୍ୟ ବର୍ଣ୍ଣନା କରିଛନ୍ତି।
ଏହାପରେ ଯୁଧିଷ୍ଠିର କୋଣାର୍କ ତୀର୍ଥରେ ପହଞ୍ଚିଛନ୍ତି।କବି ଏଠାରେ ଏହି ତୀର୍ଥର ନାମକରଣ ସମ୍ବନ୍ଧରେ ଏକ ଉପାଖ୍ୟାନ ପ୍ରଦାନ କରି ଏହି କ୍ଷେତ୍ରର ମହିମା ବର୍ଣ୍ଣନା କରିଛନ୍ତି। ଏଠାରେ ପାଣ୍ଡବମାନେ ପାଞ୍ଚଦିନ ରହିବା ପରେ ରାମଚଣ୍ଡୀ ଦର୍ଶନ କରିବା ପାଇଁ ଯାଇଛନ୍ତି।ସେଠାରୁ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି।ମାର୍କଣ୍ଡେୟ ଯୁଧିଷ୍ଠିରଙ୍କୁ ମହୋଦଧି, ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟୁମ୍ନ ଇତ୍ୟାଦି ପବିତ୍ର ତୀର୍ଥସ୍ଥାନମାନ ଦେଖାଇଛନ୍ତି। ତାପରେ ସେମାନେ ଶ୍ରୀକ୍ଷେତ୍ରରୁ ଯାଜପୁର ଅଭିମୁଖେ ଯାତ୍ରା କରିଛନ୍ତି।ମହାଭାରତର ଅନେକ ବର୍ଣ୍ଣନାରେ ଯାଜପୁର ତୀର୍ଥ କ୍ଷେତ୍ରର ମାହାତ୍ମ୍ୟ ବିଶଦ ଭାବରେ ଦିଆଯାଇଛି। ସ୍ଵର୍ଗାରୋହଣ ପରେ ହସ୍ତିନାପୁରକୁ ସମ୍ପୂର୍ଣ ରୂପେ ଭୁଲି ଯାଇଥିଲା ଭଳି ମନେହୁଏ। କାରଣ ଏହି ପର୍ବରେ ସେ ପାଣ୍ଡବମାନକୁ ସେ ଓଡ଼ିଶାର ବିଭିନ୍ନ ତିର୍ଥମାନଙ୍କରେ ବୁଲାଇଛନ୍ତି ଏବଂ ଯାଜପୁରର ହରି ସାହୁର କନ୍ୟା ସୁହାଣୀ ସହିତ ଯୁଧିଷ୍ଠିରଙ୍କୁ ବୈବାହିକ ବନ୍ଧନରେ ବାନ୍ଧି ଦେଇଛନ୍ତି।ଏହି ଅବସରରେ ସେ ସେମାନଙ୍କୁ ସେଠାରେ ଦୀର୍ଘ ପଞ୍ଚସ୍ତରୀ ବର୍ଷ ସାଧାରଣ ଓଡ଼ିଆ ଭାବରେ ରଖାଇଛନ୍ତି।
ସାରଳା ମହାଭାରତରେ ଅନେକ ନଦନଦୀ ଓ ପର୍ବତର ବର୍ଣ୍ଣନା ରହିଛି ଯାହା ତତ୍କାଳୀନ ଓଡ଼ିଶାରେ ଥିଲା ଏବଂ ବର୍ତ୍ତମାନ ମଧ୍ୟ ରହିଛି।ଏପରି ବର୍ଣ୍ଣନା ପଛରେ କବିଙ୍କ ସ୍ବଦେଶ ପ୍ରୀତି ବିଦ୍ୟମାନ।ଓଡ଼ିଶାର ନଦୀ ମାନଙ୍କ ମଧ୍ୟରେ କବି ମହାନଦୀ, ଦେବୀନଦୀ, ଖରସୁଆଁ, ପ୍ରାଚୀ, ବ୍ରାହ୍ମଣୀ, ବୈତରଣୀ, ଚିତ୍ରତ୍ପୋଳା, ସୁବର୍ଣ୍ଣରେଖା, ଗନ୍ଧାବତୀ( ସମ୍ଭବତଃ ଭୁବନେଶ୍ୱର ନିକଟବର୍ତ୍ତୀ ଗଙ୍ଗୁଆ ନଦୀ) କୁଶଭଦ୍ରା, ବଳାଙ୍ଗୀ, ଋଷିକୂଲ୍ୟା ପ୍ରଭୃତିର ନାମ ବିଭିନ୍ନ ପ୍ରସଙ୍ଗରେ ଉଲ୍ଲେଖ କରିଅଛନ୍ତି। ବିଭିନ୍ନ ବର୍ଣ୍ଣନା ପ୍ରସଙ୍ଗରେ ଓଡ଼ିଶାର ଯେଉଁ ପର୍ବତଗୁଡ଼ିକର ନାମ ଉଲ୍ଲେଖ କରାଯାଇଛି, ସେଗୁଡିକ ମଧ୍ୟରେ କପିଳାସ, ଧବଳୀ, ଖଣ୍ଡଗିରି, ଉଦୟଗିରି, ମଣିନାଗ, ମହେନ୍ଦ୍ର, ନୀଳଗିରି, ବାଙ୍କୀର ମହାପର୍ବତ ଇତ୍ୟାଦି ପ୍ରଧାନ।
ମଧ୍ୟ ପର୍ବରେ ଭୀମ, ଅର୍ଜୁନ ପ୍ରମୁଖ ପାଣ୍ଡବଙ୍କ ଦିଗବିଜୟ କାଳରେ ଯେଉଁ ଯେଉଁ ରାଜ୍ୟକୁ ସେମାନେ ନିଜ ଅଧିନସ୍ଥ କରିଥିଲେ, ଇତିହାସରୁ ଜଣାଯାଏ ଯେ ସେହି ରାଜ୍ୟରୁ ଅନେକ ପ୍ରବଳ ପ୍ରତାପୀ ସୂର୍ଯ୍ୟବଂଶୀ ସମ୍ରାଟ ବୀର ଶ୍ରୀ ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର କପିଳେନ୍ଦ୍ରଦେବ ଜୟ କରିଥିଲେ। ଚଣ୍ଡୀପୁରାଣ ଓ ମହାଭାରତରେ ବର୍ଣ୍ଣିତ କପିଳ ସିଂ ଚରିତ୍ର ମହାପ୍ରତାପୀ ଓଡ଼ିଆ ସମ୍ରାଟ କପିଳେନ୍ଦ୍ରଦେବଙ୍କ ନାମାନୁସାରେ କବି ଗ୍ରହଣ କରିଥିବାର ଅନୁମାନ କେତେକ ଆଲୋଚକ କରୁଥିବାରୁ ସାରଳାଙ୍କ ସ୍ବଦେଶପ୍ରୀତିର ତୀବ୍ରତା ବୃଦ୍ଧି ପାଇଛି।ମୂଳ ମହାଭାରତରେ ଯୁଦ୍ଧର ବର୍ଣ୍ଣନା ଥିଲେ ହେଁ ସାରଳା ଦାସ ଏ ଦିଗରେ ଅଧିକ ପାରଦର୍ଶିତା ଦେଖାଇଛନ୍ତି।ସେ ଜାତୀୟତା ଭାବରେ ଅନୁପ୍ରାଣିତ ହୋଇ ସେ ସମୟର ରଣୋନ୍ମୋତ୍ତ ଦୁର୍ଦ୍ଧର୍ଷ ଓଡ଼ିଆ ଜାତିର ଯଥାର୍ଥ ପରିଚୟ ଏହି ବର୍ଣ୍ଣନା ମାଧ୍ୟମରେ ପ୍ରଦର୍ଶନ କରିଛନ୍ତି।
ବିରାଟ ପର୍ବରେ ତ୍ରିକାଳ ତତ୍ତ୍ୱଦର୍ଶୀ ସୁରାସୁର – ପୂଜ୍ୟପାଦ ମହର୍ଷି ଭରଦ୍ୱାଜଙ୍କୁ କବି ଉତ୍କଳ ନିବାସୀ ବୋଲି ସୂଚନା ଦେଇଛନ୍ତି।ଭରଦ୍ୱାଜଙ୍କ ଆଶ୍ରମ ଚିତ୍ରକୂଟ ଠାରୁ ଦଶକ୍ରୋଶ ଦୂରରେ ଥିବାର ଜଣାଯାଏ।ତେବେ ପ୍ରଶ୍ନ ଉଠେ କବି ତାଙ୍କୁ କାହିଁକି ଉତ୍କଳକୁ ଟାଣି ଆଣିଲେ? ଏହାର ଉତ୍ତରରେ କୁହାଯାଇପାରେ, କବି ବୋଧ ହୁଏ ମନେ କରିଥିଲେ ଯେ ଉତ୍କଳ ଭୂମି ହେଉଛି ଅତ୍ୟନ୍ତ ପବିତ୍ର ସ୍ଥାନ, ଯାହା ମୁନି ଋଷି ମାନଙ୍କ ବାସସ୍ଥାନ ନିମନ୍ତେ ଏକାନ୍ତ ଉପଯୋଗୀ। ଏପରି ବର୍ଣ୍ଣନା ଦେବାର ଅନ୍ତରାଳରେ କବିଙ୍କ ସ୍ୱମାତୃଭୂମିର ମହତ୍ତ୍ଵ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ନିହିତ।
ସାରଳା ମହାଭାରତର ବିଭିନ୍ନ ସ୍ଥାନରେ ଓଡ଼ିଶା ବା ଓଡାରାଷ୍ଟ୍ର ସମ୍ବନ୍ଧୀୟ ଆଲୋଚନା ପରିଦୃଷ୍ଟ ହୁଏ। ଓଡ଼ିଶା ରାଜ୍ୟର ଉତ୍ପତ୍ତି ସମ୍ପର୍କରେ ଆଦିପର୍ବରେ ଯେଉଁ କାଳ୍ପନିକ ବିବରଣୀ କବି ଦେଇଅଛନ୍ତି, ତାହା ତାଙ୍କର ଜାତୀୟତାର ସୂଚନା ଦିଏ।ନିଜ ଗ୍ରନ୍ଥରେ କବି ଓଡ଼ିଶାକୁ କେବଳ ଓଡ଼ରାଷ୍ଟ୍ର ବୋଲି କହି ନାହାନ୍ତି, ଏହାର ନାମାନ୍ତର ସ୍ୱରୂପ ଓଡ଼ାଦିନଗ୍ର, ଓଡ଼ଙ୍ଗ, ଉଡଙ୍ଗ ପ୍ରଭୃତି ଶବ୍ଦ ବ୍ୟବହାର କରିଅଛନ୍ତି।
ଜତୁଗୃହ ଦାହ ପରେ ପାଣ୍ଡବମାନେ ନିରୁଦ୍ଦିଷ୍ଟ ଜୀବନଯାପନ କରିବା କାଳରେ ଭୀମ ଶିବପୁରରେ ରାଜା ରୂପେ ଅଭିଷିକ୍ତ ହୋଇଛନ୍ତି। ତାପରେ ସେ ବିଷ୍ଣୁ କର ପଣ୍ଡାଙ୍କୁ ସେଠାରେ ରାଜା କରିଛନ୍ତି।ଏହିଠାରୁ ଐତିହାସିକ କର ବଂଶର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ।ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ ସମୟରେ ଏହି ବିଷ୍ଣୁକର ପଣ୍ଡାଙ୍କୁ ଆମେ ଦକ୍ଷିଣ ଭାରତର ଜଣେ ବହୁମାନ୍ୟ ରାଜନ୍ୟ ଅତିଥି ରୂପେ ଦେଖିବାକୁ ପାଉ।ପୁନଶ୍ଚ କର୍ଣ୍ଣକେଶରୀ ରାଜାଙ୍କ ନାମାନୁସାରେ କନିକା ରାଜ୍ୟର ନାମକରଣ ହୋଇଥିବାର ବର୍ଣ୍ଣନା ବିରାଟ ପର୍ବରେ ଦେଖିବାକୁ ମିଳେ।ଦ୍ରୌପଦୀଙ୍କ ସ୍ଵୟମ୍ବରରେ ଯାଜପୁର ରାଜାଙ୍କ ଉପସ୍ଥିତି ଫଳରେ କବି ଜାତୀୟତା ଭାବରେ ଉଦବୁଦ୍ଧ ହୋଇଥିବାର ଜଣାଯାଏ।
ସାରଳା ମହାଭାରତରେ ବିଚିତ୍ର ଚରିତ୍ର-ଚିତ୍ରଶାଳା କବିଙ୍କ ଜାତୀୟତାର ଅନ୍ୟ ଏକ ପ୍ରମାଣ।ପ୍ରତ୍ୟେକ ଚରିତ୍ରକୁ ବିଶ୍ଳେଷଣ କଲେ ଆମେ ରକ୍ତ-ମାଂସଧାରୀ ଜଣେ ଜଣେ ବିଶେଷ ଶ୍ରେଣୀର ଉତ୍କଳୀୟର ସାକ୍ଷାତ ପାଇଥାଉଁ।ତାଙ୍କ ବର୍ଣ୍ଣିତ ଦେବଦେବୀ ଏବଂ ଅଭିଜାତ ଚରିତ୍ରଗଣ ଉତ୍କଳର ସାଧାରଣ ଗ୍ରାମବାସୀଙ୍କ ଭଳି ସରଳ। ଏମାନଙ୍କ ଠାରେ ଓଡ଼ିଆତ୍ୱ ଏତେ ତୀବ୍ର ଯେ ଆମକୁ ଜଣାଯାଏ, ସତେ ଯେପରି ସେମାନେ ଆମ ସମାଜର ଜଣେ ଜଣେ ସଭ୍ୟ।ଭୀମ ଚରିତ୍ରରେ ତତ୍କାଳୀନ ସମାଜର କୌଣସି ଜଣେ ହୁଙ୍କାପିଟା, ଫୁଲାଫାଙ୍କିଆ ଓ ନିଷ୍କପଟ ଉତ୍କଳୀୟ ଚରିତ୍ରର ପ୍ରତିଫଳନ ଦେଖିବାକୁ ମିଳେ।ସମକାଳୀନ ଜନୈକ ଉତ୍କଳୀୟ ଆଦର୍ଶ ପୁରୁଷଙ୍କୁ ଲକ୍ଷ୍ୟରେ ରଖି ସେ ଯୁଧିଷ୍ଠିରଙ୍କ ଚରିତ୍ର ଫୁଟାଇଛନ୍ତି।ପରମ ପୁରୁଷ ଶ୍ରୀକୃଷ୍ଣଙ୍କୁ ଅତି କାମୁକ ପୁରୁଷ ଓ କୁଚକ୍ରୀ ଭାବେ ସେ ଚିତ୍ରଣ କରି ସେ ସମୟର ଅନୁରୂପ କୌଣସି ଜଣେ ଉତ୍କଳୀୟର ପରିଚୟ ପ୍ରଦାନ କରିଛନ୍ତି।ପୁନଶ୍ଚ ଗଙ୍ଗାଙ୍କ ଚରିତ୍ରରେ ଫୁଟିଉଠିଛି ସମସାମୟିକ କୌଣସି ଜଣେ ଉଗ୍ର ସ୍ଵଭାବ ସମ୍ପନ୍ନା ଉତ୍କଳୀୟ ଗ୍ରାମ୍ୟ ନାରୀର ଉଚ୍ଛୃଙ୍ଖଳତା ଓ ସ୍ୱେଚ୍ଛାଚାରିତା।
ସାରଳା ଦାସ ଆଲୋଚ୍ୟ ଗ୍ରନ୍ଥରେ ଯେଉଁ ସମାଜର ଚିତ୍ର ଦେଇଛନ୍ତି ତାହା ହେଉଛି ଏକ ଖାଣ୍ଟି ଓଡିଆ ସମାଜ।ତତ୍କାଳୀନ ଉତ୍କଳୀୟ ସମାଜରେ ପ୍ରଚଳିତ ରୀତିନୀତି, ଚାଲିଚଳନ, ପର୍ବପର୍ବାଣି, ବିବାହ ବିଧି, ଭୂମି ଓ ରଜସ୍ଵବିଧି, ନୌବାଣିଜ୍ୟ ଓ ପାକ ପ୍ରଣାଳୀ,କୃଷି ଓ କୃଷକ, ଶିକ୍ଷା ପଦ୍ଧତି, ଯୁଦ୍ଧ ଅଭିଯାନ ପ୍ରଭୃତିର ସୁସ୍ପଷ୍ଟ ଚିତ୍ର ଆମେ ମହାଭାରତରେ ବିଭିନ୍ନ ପ୍ରସଙ୍ଗ ବର୍ଣ୍ଣନାରେ ଦେଖିବାକୁ ପାଉଁ।
ଆଲୋଚିତ ଗ୍ରନ୍ଥରେ ରାଶି ରାଶି ନୀତିକଥା, ପ୍ରବଚନ, ଲୋକବିଶ୍ୱାସ ଓ ଉପାଖ୍ୟାନ ଆଦିର ବର୍ଣ୍ଣନା ଦେଖିବାକୁ ମିଳେ। ସେଥିମଧ୍ୟରୁ କେତେକ ପୂର୍ବରୁ ପ୍ରଚଳିତ ଏବଂ କେତେକ କଳ୍ପନାପ୍ରିୟ କବିଙ୍କ କଳ୍ପନା-ପ୍ରସୂତ।ଓଡ଼ିଆ ସମାଜରେ ବହୁକଥିତ ଓ ବହୁପ୍ରଚଳିତ ପ୍ରବଚନ, ନୀତିକଥା ଓ ଲୋକବିଶ୍ୱାସକୁ ସ୍ଵଗ୍ରନ୍ଥରେ ସ୍ଥାନ ଦେବା ପଛରେ କବିଙ୍କ ଜାତୀୟତାଭାବ ବିଦ୍ୟମାନ।
କବି କିପରି ଓଡ଼ିଶାକୁ ମହାଭାରତର ପଟ୍ଟଭୂମି ଭାବେ ଗ୍ରହଣ କରି ଏ ବିଶାଳ ଗ୍ରନ୍ଥ ରଚନା କରିଛନ୍ତି, ତା’ର ଆଭାସ ଦେଇ ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କହନ୍ତି – ” ସାରଳା ମହାଭାରତ ପଢ଼ିଲେ ଜଣାଯାଏ ଯେ, କବି ମୂଳ ମହାଭାରତକୁ ଅନୁସରଣ କରି ପ୍ରଥମେ କୌରବ ଓ ପାଣ୍ଡବ ମାନଙ୍କୁ ଉତ୍ତର ଭାରତସ୍ଥ କୁରୁ ପ୍ରଦେଶର ଲୋକ ବୋଲି ବର୍ଣ୍ଣନା କରିଛନ୍ତି।କିନ୍ତୁ ଗ୍ରନ୍ଥ ଲେଖାରେ ଯେତେବେଶୀ ଅଗ୍ରସର ହୋଇଛନ୍ତି, ସେତେବେଶୀ ସେ ମହାଭାରତର ଏହି ମୌଳିକ କଥାଟି ଭୁଲି ଯାଇଛନ୍ତି।ଉତ୍କଳର ନଦନଦୀ, ଗିରିବନ, ନଗର, ଜନପଦ, ଗଳ୍ପ ପୁରାଣ, ଇତିହାସ କିମ୍ବଦନ୍ତି, ବାରବ୍ରତ, ଧର୍ମ ଧାରଣା, ଜ୍ଞାନ ବିଜ୍ଞାନ, ବେଶ ଭୂଷା, ଖେଳ କୌତୁକ, ଆଚାର ବ୍ୟବହାର, ଇତ୍ୟାଦିରେ ଗୋଟିଏ ବିପୁଳ ଜ୍ଞାନ ଭଣ୍ଡାର କବିଙ୍କ ମସ୍ତକରେ ପୁରି ରହିଥିଲା।ଏହି ଜ୍ଞାନ ଭଣ୍ଡାରର ସଦ୍ ବ୍ୟବହାର କରିବାକୁ ଯାଇ ସେ ଉତ୍କଳ ଦେଶର ପଟ୍ଟଭୂମିକାରେ ହିଁ ମହାଭାରତର ଅଖ୍ୟାୟିକାମାନ ଅଙ୍କନ କରିଯାଇଛନ୍ତି।ତାଙ୍କ ମହାଭାରତ ପଢ଼ିସାରିବା ପରେ ଧାରଣା ହୁଏ ଯେ, କୌରବ ଓ ପାଣ୍ଡବ ମାନେ ଏହି ଓଡ଼ିଶା ଦେଶରେ ହିଁ ବଢିଥିଲେ। ଏହି ପ୍ରଦେଶର ବେଶଭୂଷାରେ ଆଚ୍ଛାଦିତ ହୋଇ ଏହାର ଅସ୍ତ୍ରଶସ୍ତ୍ର ଶିକ୍ଷା କରିଥିଲେ, ସେମାନେ ଏଇଠି ଝିମିଟି ଖେଳ ଖେଳିଥିଲେ, ଏଇଠି ପାଣ୍ଡବ ମାନେ ବନବାସ କରିଥିଲେ, ଏଇଠି ବିରାଟ ଗଡ଼ ଥିଲା, ଏହି ଦେଶରେ କିଚକ ଗଡ଼ ଥିଲା, ଏହି ଦେଶର ବନ ପର୍ବତ ଇତ୍ୟାଦିରେ ପାଣ୍ତବ ମାନେ ବୁଲିଥିଲେ, ଏହି ଦେଶର ଦେବତା ମାନଙ୍କୁ ପୂଜା କରିଥିଲେ, ସେମାନେ ଏହି ଦେଶରେ ହିଁ ଅଶ୍ଵମେଧ ଯଜ୍ଞ କରିଥିଲ, ସେମାନଙ୍କ ଅଶ୍ଵ ଏହି ଦେଶରେ ହିଁ ପ୍ରଥମେ ଘୁରି ବୁଲିଥିଲା, ଏହି ଦେଶରେ ହିଁ ମୂଳ ମହାଭାରତ ବର୍ଣ୍ଣିତ ପଞ୍ଚ କଟକ ଅବସ୍ଥିତ ଥିଲା, ଏହି ଦେଶର ଯଯନ ନଗରୀରେ ହିଁ ଏକମାତ୍ର କୁଳାଙ୍କୁର ପରୀକ୍ଷିତଙ୍କୁ ରାଜା କରି ଏହି ଦେଶର ତୀର୍ଥମାନ ଭ୍ରମଣ କରି ସେମାନେ ସ୍ଵର୍ଗାରୋହଣ ପାଇଁ ମହାଯାତ୍ରା କରିଥିଲେ ଓ ଏହି ଦେଶରେ ହିଁ ଜନ୍ମେଜୟ ପିତାଶତ୍ରୁ ସର୍ପବଂଶକୁ ଧ୍ଵଂସ କରିବା ପାଇଁ ସର୍ପଯଜ୍ଞ କରିଥିଲେ।
ସାରଳା ଦାସ ଓଡ଼ିଶାର କବି। ସୁତରାଂ ସେ ଓଡ଼ିଶାକୁ ଓ ଓଡ଼ିଆଙ୍କୁ ଯେଉଁଭଳି ଭାବରେ ଦେଖିଛନ୍ତି ସେହିଭଳି ଭାବରେ ମହାଭାରତ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଏବଂ ସେଥି ସହିତ ସଂଯୁକ୍ତ ଚରିତ୍ରଗୁଡ଼ିକ ଚିତ୍ରଣ କରିଛନ୍ତି।ମହାଭାରତର ଏପରି କୌଣସି ଦିଗ ନାହିଁ, ଯେଉଁଥିରେ ସାରଳାଙ୍କ ଜାତୀୟତାର ଛାପ ଦେଖିବାକୁ ମିଳେ ନାହିଁ।ତାଙ୍କ ସ୍ବଦେଶପ୍ରୀତି ଆଜି ମଧ୍ୟ ଜାତୀୟତାରେ ଉଦବୁଦ୍ଧ ଯେକୌଣସି ସ୍ଵାଧୀନ ନାଗରିକଙ୍କୁ ବିସ୍ମୟାଭିଭୂତ କରେ।