PAPER-I- Section A- (vi) || a||Common errors in spellings, grammatical uses
https://youtu.be/MHTuBZwRKpMhttps://youtu.be/8LjRRH1sV1w
ସାଧାରଣ ଶବ୍ଦ ଅଶୁଦ୍ଧି
ଭାଷାମଧ୍ୟରେ ଅଶୁଦ୍ଧି ଭାଷା ପ୍ରୟୋଗ କ୍ଷେତ୍ରରେ ନିନ୍ଦନୀୟ । ଶୁଦ୍ଧ ଭାଷାର ପ୍ରୟୋଗକୁ ସମ୍ମାନ ଦେଉଥିବା ବ୍ୟକ୍ତି ନିଜେ ସମ୍ମାନିତ ହେଇଥାଏ। ଅଧିକାଂଶ ବ୍ୟକ୍ତି ପୂର୍ଣ୍ଣ ଶୁଦ୍ଧଭାଷାର ପ୍ରୟୋଗ କରି ନ ପାରିବା ଯେତିକି ନିନ୍ଦନୀୟ ସେତିକି ଦୁଃଖଦାୟକ । ଭାଷା ମଧ୍ୟରେ ଅଶୁଦ୍ଧି ହେଳା ଯୋଗୁଁ ହୋଇପାରେ କିମ୍ବା ଅଜ୍ଞାନତା ଯୋଗୁଁ ମଧ୍ୟ ହୋଇପାରେ । ଅଶୁଦ୍ଧିର କାରଣ ନିମ୍ନ ପ୍ରକାରର ହୋଇପାରେ ।
ଭାଷା ଅଶୁଦ୍ଧି ବିଭିନ୍ନ ପ୍ରକାର
- ସାଦୃଶ୍ୟଜନିତ
- ସନ୍ଧି ଜନିତ
- ସମାସଜନିତ
- ଲିଙ୍ଗଜନିତ
- ବଚନଜନିତ
- କୃଦନ୍ତ ଓ ତଦ୍ଧିତଜନିତ
- କ୍ରିୟା,ବିଭକ୍ତି ଓ ପ୍ରତ୍ୟୟଜନିତ
- ଣତ୍ଵବିଧି ଓ ଷତ୍ଵବିଧି ଜନିତ
- ସଂସ୍କୃତ ଶବ୍ଦ ଓ ଧାତୁ ସମ୍ପର୍କିତ ଅଜ୍ଞାନତାଜନିତ
- ବାକ୍ୟରୀତି ଜନିତ
- ସମୋଚ୍ଚାରିତ ଶବ୍ଦଜନିତ
- ବିଶେଷ୍ୟ ବିଶେଷଣଜନିତ
- ଶବ୍ଦର ପରିବର୍ତ୍ତିତ ରୂପ ଜନିତ
(କ)ସାଦୃଶ୍ୟଜନିତ ଅଶୁଦ୍ଧି
ଉଚ୍ଚାରଣର ସମାନତା ବା ଧ୍ୱନିସାମ୍ୟ ଏହି ଅଶୁଦ୍ଧିର ମୁଖ୍ୟ କାରଣ
ଦୁଇଟି ଶବ୍ଦ ବା ଶବ୍ଦାଂଶର ସାଦୃଶ୍ୟ ହେତୁ ବହୁକଥିତ ଶବ୍ଦର ବନାନ ଅଳ୍ପକଥିତ ଶବ୍ଦର ବନାନ ଉପରେ ପଡ଼ିଥାଏ
ଉଦାହରଣ ସ୍ଵରୂପ:
ଭାଗିରଥି(ଶୁଦ୍ଧ)-ଭାଗିରଥୀ(ଅଶୁଦ୍ଧ) (ରଥୀ ଶବ୍ଦର ପ୍ରଭାବରେ)
ଦାଶରଥି(ଶୁଦ୍ଧ)-ଦଶରଥୀ (ଅଶୁଦ୍ଧ) (ରଥୀ ଶବ୍ଦର ପ୍ରଭାବରେ)
ବିଶଦ(ଶୁଦ୍ଧ)-ବିଷଦ (ଅଶୁଦ୍ଧ)(ବିଷ ଶବ୍ଦର ପ୍ରଭାବରେ )
(ଖ)ଲିଙ୍ଗ-ଜନିତ ଅଶୁଦ୍ଧି
- ବ୍ୟବହାରିକ ଜ୍ଞାନ ଅଭାବରୁ ଏହି ଅଶୁଦ୍ଧି ଘଟିଥାଏ
- ପ୍ରତ୍ୟୟର ଭୁଲ ବ୍ୟବହାରଦ୍ଵାରା ଏହି ଅଶୁଦ୍ଧି ଘଟିଥାଏ
- ସ୍ତ୍ରୀଲିଙ୍ଗ ସୂଚକ ଶବ୍ଦକୁ ହ୍ରସ୍ଵ-ସ୍ଵରାନ୍ତ ଲେଖିଲେ ଅଶୁଦ୍ଧି ହୋଇଥାଏ
ଉଦାହରଣ ସ୍ଵରୂପ:
ଶ୍ରୀମତୀ(ଶୁଦ୍ଧ)-ଶ୍ରୀମତି(ଅଶୁଦ୍ଧ)
ଚନ୍ଦ୍ରବଦନା(ଶୁଦ୍ଧ)- ଚନ୍ଦ୍ରବଦନ+ଆ (ଚନ୍ଦ୍ରବଦନୀ ନୁହେଁ)
(ଗ)ସନ୍ଧି-ଜନିତ ଅଶୁଦ୍ଧି
ସନ୍ଧିରେ ଦୁଇଟି ଶବ୍ଦର ମିଳନ ବ୍ୟାକରଣ ନିୟମ ଅନୁସାରେ ହୋଇ ନ ଥିଲେ ବର୍ଣ୍ଣାଶୁଦ୍ଧି ହୋଇଥାଏ
ସ୍ଵର, ବ୍ୟଞ୍ଜନ ଓ ବିସର୍ଗ ସନ୍ଧି ନିୟମର ପାଳନ ନ ହେଲେ ସନ୍ଧି-ଜନିତ ଅଶୁଦ୍ଧି ହୋଇଥାଏ
ଉଦାହରଣ:ରବି+ଇନ୍ଦ୍ର=ରବୀନ୍ଦ୍ର
ଦିକ୍+ଅମ୍ବର=ଦିଗମ୍ବର
ଦୁଃ+ଅବସ୍ଥା = ଦୁରବସ୍ଥା
(ଘ)ସମାସ ଜନିତ ଅଶୁଦ୍ଧି
- ସମାସ ବ୍ୟାକରଣ ନିୟମ ଅନୁସାରେ ହୋଇ ନ ଥିଲେ ବର୍ଣ୍ଣାଶୁଦ୍ଧି ହୋଇଥାଏ
- ବ୍ୟବହାରିକ ଜ୍ଞାନର ଅଭାବ ଏହାର କାରଣ
ଉଦାହରଣ ସ୍ୱରୂପ:
- ନାହିଁ ଜ୍ଞାନ ଯାହାର- ଅଜ୍ଞାନ (ଅଜ୍ଞାନୀ ନୁହେଁ)
- କାଳୀଙ୍କ ଦାସ ଯେ ସେ- କାଳିଦାସ (କାଳୀଦାସ ନୁହେଁ)
- ଶଶୀ ଭୂଷଣ ଯାହାର- ଶଶିଭୂଷଣ
- ନାହିଁ ପୁତ୍ର ଯାହାର ସେ- ଅପୁତ୍ରକ (ଅପୁତ୍ରିକ ନୁହେଁ)
- ନିନ୍ଦା କରେ ଯେ- ନିନ୍ଦକ (ନିନ୍ଦୁକ ନୁହେଁ )
- ନ ଅଟନ- ଅନଟନ (ଅନାଟନ ନୁହେଁ)
(ଙ) ବଚନଜନିତ ଅଶୁଦ୍ଧି
ବଚନ ବାଚକ ଶବ୍ଦ ଓ ବଚନ ଚିହ୍ନର ଏକତ୍ର ପ୍ରୟୋଗରେ ବଚନଗତ ଅଶୁଦ୍ଧି ହୋଇଥାଏ
ଉଦାହରଣ
ଅଗଣିତ ଲୋକଙ୍କୁ / ଲୋକମାନଙ୍କୁ (ଶୁଦ୍ଧ)- ଅଗଣିତ ଲୋକମାନଙ୍କୁ(ଅଶୁଦ୍ଧ)
ଦଳେ ଲୋକ(ଶୁଦ୍ଧ) – ଦଳେ ଲୋକମାନେ (ଅଶୁଦ୍ଧ)
(ଚ) ବିଭକ୍ତିଜନିତ ଅଶୁଦ୍ଧି
- ଶବ୍ଦ ଓ ବିଭକ୍ତି ଚିହ୍ନର ଏକତ୍ର ପ୍ରୟୋଗ ନହେଲେ ବିଭକ୍ତିଜନିତ ଅଶୁଦ୍ଧି ହୋଇଥାଏ
- ବିଭକ୍ତି ଚିହ୍ନର ଅନାବଶ୍ୟକ ପ୍ରୟୋଗରେ ମଧ୍ୟ ବିଭକ୍ତିଜନିତ ଅଶୁଦ୍ଧି ହୋଇଥାଏ
ଉଦାହରଣ ସ୍ଵରୂପ:
ପିଲାମାନଙ୍କୁ- ପିଲା ମାନଙ୍କୁ ନୁହେଁ
ଏକତ୍ର- ଏକତ୍ରରେ ନୁହେଁ
ଲୋକଙ୍କଠାରୁ- ଲୋକଙ୍କ ଠାରୁ ନୁହେଁ
ମୋଦ୍ଵାରା- ମୋ ଦ୍ଵାରା ନୁହେଁ
(ଛ) ଣତ୍ଵ ବିଧି/ଷତ୍ଵ ବିଧି ଜନିତ ଅଶୁଦ୍ଧି
ଣତ୍ଵ ବିଧି ଷତ୍ଵ ବିଧି ସମ୍ପର୍କିତ ଧାରଣାର ଅଭାବରୁ ଅଶୁଦ୍ଧି ହୋଇଥାଏ । ଉଦାହରଣ ସ୍ଵରୂପ:
ରୂପାୟଣ- ରୂପାୟନ ନୁହେଁ
ରୁଗ୍ଣ- ରୁଗ୍ନ ନୁହେଁ
ପୂର୍ବାହ୍ଣ-ପୂର୍ବାହ୍ନ ନୁହେଁ
ଆନୁଷଙ୍ଗିକ-ଆନୁସଙ୍ଗିକ ନୁହେଁ
(ଜ) ସମୋଚ୍ଚାରିତ ଶବ୍ଦ ଜନିତ ଅଶୁଦ୍ଧି
ସମୋଚ୍ଚାରିତ ଶବ୍ଦ ଅନେକ ସମୟରେ ଶ୍ରୋତା ମନରେ ଭ୍ରମ ସୃଷ୍ଟିକରି ଅଶୁଦ୍ଧିର କାରଣ ହୋଇଥାଏ ।
ଉଦାହରଣ ସ୍ୱରୂପ:
ଅଶି-ସଂଖ୍ୟା ଅସି- ଖଣ୍ଡା
ନୀତି-ନିୟମ ନିତି- ପ୍ରତିଦିନ
ଶଙ୍କର – ଶିବ ସଙ୍କର- ମିଶ୍ରିତ
ବିଷ-ଗରଳ ବିସ- ପଦ୍ମନାଡ଼
(ଝ) ‘ଯ’ ପ୍ରତ୍ୟୟ ଓ ‘ତା’ ପ୍ରତ୍ୟୟର ଏକତ୍ର ପ୍ରୟୋଗ ଜନିତ ଅଶୁଦ୍ଧି
ବିଶେଷଣକୁ ବିଶେଷ୍ୟରେ ପରିଣତ କରିବାକୁ ହେଲେ ‘ଯ’ ପ୍ରତ୍ୟୟ କିମ୍ବା ‘ତା’ପ୍ରତ୍ୟୟ ମଧ୍ୟରୁ କେବଳ ଗୋଟିଏ ମାତ୍ର ପ୍ରତ୍ୟୟ ବ୍ୟବହାର କରିବାକୁ ହୁଏ ।
ଉଭୟ ପ୍ରତ୍ୟୟକୁ ଏକ ସଙ୍ଗରେ ବ୍ୟବହାର କଲେ ପ୍ରତ୍ୟୟାନ୍ତ ଶବ୍ଦଟି ଭୁଲ ହୋଇଯାଏ ।
ଉଦାହରଣ :
ଦରିଦ୍ରର ଭାବ- ଦାରିଦ୍ର୍ୟ କିମ୍ବା ଦରିଦ୍ରତା (ଶୁଦ୍ଧ ) କିନ୍ତୁ ଦାରିଦ୍ର୍ୟତା ଅଶୁଦ୍ଧ
ସୁଜନର ଭାବ- ସୌଜନ୍ୟ କିମ୍ବା ସୁଜନତା (ଶୁଦ୍ଧ ) କିନ୍ତୁ ସୌଜନ୍ୟତା ଅଶୁଦ୍ଧ
(ଞ) ସ୍ଵର ସଂଗତି-ଜନିତ ଭ୍ରମ
ଦୁଇଟି ସନ୍ନିହିତ ସ୍ଵରଧ୍ଵନିମଧ୍ୟରୁ ପ୍ରଭାବଶାଳୀ ଧ୍ୱନିଟି ଅନ୍ୟ ଧ୍ୱନିକୁ ପ୍ରଭାବିତ କରି ନିଜ ସହ ସମାନ କରିଦିଏ । ଏହି ଭ୍ରମ କାରଣରୁ ବର୍ଣ୍ଣାଶୁଦ୍ଧି ଘଟିଥାଏ ।
ଉଦାହରଣ ସ୍ଵରୂପ:
ସାହସ(ଶୁଦ୍ଧ)-ସାହାସ(ଅଶୁଦ୍ଧ)
ରାକ୍ଷସ(ଶୁଦ୍ଧ)-ରାକ୍ଷାସ (ଅଶୁଦ୍ଧ)
ଯାତାୟତ – ଯାତାୟାତ (ଶୁଦ୍ଧ)
ଏହି କାରଣଗୁଡ଼ିକୁ ଗୁରୁତ୍ଵ ଦେଲେ ଭାଷା ଅଶୁଦ୍ଧିକୁ ଅନେକ ପରିମାଣରେ ଏଡ଼ାଇବା ସମ୍ଭବ ହେବ ।